ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନପତ୍ର ଦାଖଲ

ସେପ୍ଟେମ୍ବର ୩ରେ ହେବ ମତଦାନ

ଭୁବନେଶ୍ବର, ୧୪/୮: ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ। ଆଜିଠୁ ୨୧ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ। ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ବିଜ୍ଞପ୍ତି ଅନୁଯାୟୀ, ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ। ସେପ୍ଟେମ୍ବର ୩ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ନିର୍ବାଚନ। ସେହିଦିନ ହିଁ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଦେଶରେ ୯ଟି ରାଜ୍ୟର ୧୨ଟି ଆସନ ପାଇଁ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, ବିଜେଡିରୁ ସାଂସଦ ଥିବା ମମତା ମହନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଥିଲେ। ତେଣୁ ଓଡ଼ିଶାରୁ ଏହି ଗୋଟିଏ ପଦ ଖାଲି ପଡ଼ିଛି। ତେବେ, ଏଥର ବିଧାନସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଅଧିକ ଥିବା ବେଳେ ବିଜେପିରୁ ରାଜ୍ୟସଭାକୁ କିଏ ଯିବେ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପଟେ ମମତା ମହନ୍ତଙ୍କୁ ବିଜେପି ସାଂସଦ ପଦ ପାଇଁ ପୁଣି ରିପିଟ୍ କରିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏଥର ରାଜ୍ୟସଭାକୁ ଯିବା ପାଇଁ ଦଳ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।