ଭିକେ ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା!

୧୦ଟି ପଏଣ୍ଟକୁ ଆଧାର କରି ମାମଲା ରୁଜୁ କରାଯାଇଛି।

କ୍ୟାପିଟାଲ ଥାନାରେ ଏତଲା ଦେଲେ ଆଇନଜୀବୀ

ଭୁବନେଶ୍ବର, ୧୪/୮: ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା ରୁଜୁ। ବିଜେଡିର ପୂର୍ବତନ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ସୁଧୀର ଚରଣ ମହାନ୍ତି। ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛନ୍ତି ଆଇନଜୀବୀ। ୧୦ଟି ପଏଣ୍ଟକୁ ଆଧାର କରି ମାମଲା ରୁଜୁ କରାଯାଇଛି।

ଆଇନଜୀବୀ ଅଭିଯୋଗରେ ଦର୍ଶାଇଛନ୍ତି, ଦଳରେ ଥିବା ବେଳେ ସରକାରୀ ପାଣ୍ଠିର ଦୂରୁପଯୋଗ କରି ଅଧିକରୁ ଅଧିକ ଅର୍ଥ କେବଳ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ଜଣେ ଜୁନିୟର ରାଙ୍କର ଅଫିସର ହୋଇ ମଧ୍ୟ ଚାଟାର୍ଡ ଫ୍ଲାଇଟରେ ବୁଲୁଥିଲେ। ହେଲିକପ୍ଟର ପାଇଁ ତିଆରି ହେଉଥିବା ହେଲିପ୍ୟାଡ ନିର୍ମାଣରେ ଲାଗୁଥିବା ଅର୍ଥର ହିସାବ ନ ଦେବା ଏବଂ ଏସବୁ ବ୍ୟତୀତ ପାଣ୍ଡିଆନଙ୍କ ଗସ୍ତର ସବୁ ଖର୍ଚ୍ଚ କେଉଁଠୁ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ। ବିପୁଳ କଳା ଟଙ୍କାକୁ ଧଳା କରୁଥିଲେ ଭିକେ ପାଣ୍ଡିଆନ। ସରକାରୀ ନୀତି ନିୟମର ଉଲ୍ଲଘଂନ କରୁଥିଲେ। ଖଣି ମାଫିଆ, ବାଲି ମାଫିଆ ଓ ଜମି ମାଫିଆଙ୍କଠାରୁ କୋଟି କୋଟି ଟଙ୍କାର ଲାଞ୍ଚ ନେଉଥିଲେ। ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଇତ୍ୟାଦି ଅଭିଯୋଗ ରହିଛି।

ସେହିପରି ଆଇନଜୀବୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପାଣ୍ଡିଆନ ହେଲିକପ୍ଟରରେ ବୁଲିବା ବେଳେ ପ୍ରାୟ ୩୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଛି। ଏସବୁ ଖର୍ଚ୍ଚରେ ହେଲିପ୍ୟାଡର ନିର୍ମାଣ, ଭଙ୍ଗ, ଜନସମାବେଶରେ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିବା ଆଦି ସାମିଲ ଅଛି ବୋଲି ଦାବି କରିଛନ୍ତି ଆଇନଜୀବୀ। ରାଜ୍ୟ ସରକାର କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ। ଯଦି ପୋଲିସ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହାଲେ ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଆଇନଜୀବୀ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଗତ କିଛି ଦିନ ପୂର୍ବରୁ ପାଣ୍ଡିଆନ ରାଜକୋଷ ଅର୍ଥର ଅପବ୍ୟବହାର କରି ହେଲିକପ୍ଟରରେ ଘନଘନ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ, ଯାହାର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେହିପରି ଭିକେ ପାଣ୍ଡିଆନଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଭାଗୀୟ ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବର୍ତ୍ତମାନ ତଦନ୍ତ କେତେଦୂର ସଫଳ ହେଉଛି, ସେ ଉପରେ ନଜର ରହିଛି।