ହାରିଗଲେ ଭିନେଶ: ଭାରତ ପାଇଁ ନୈରାଶ୍ୟଜନକ ଖବର

ଭିନେଶ ଫୋଗାଟଙ୍କ ରୌପ୍ୟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍।

ସପକ୍ଷରେ ଗଲାନି ସିଏଏସର ରାୟ

ନୂଆଦିଲ୍ଲୀ, ୧୪/୮: ହାରିଗଲେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍। ଦେଶ ପାଇଁ ଜିତି ପାରିଲେନି ସପ୍ତମ ପଦକ। ରୌପ୍ୟ ପଦକ ଜିତିବାର ଆଶା ମଉଳିଗଲା। ଅଲିମ୍ପିକ୍ସ ଅଯୋଗ୍ୟତା ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (ସିଏଏସ୍)ରେ କରିଥିବା ଆବେଦନର ଆଜି ହୋଇଛି ଶୁଣାଣି। ଫୋଗଟଙ୍କ ଆବେଦନକୁ ପ୍ରତ୍ୟାଖାନ କରି ଦେଇଛନ୍ତି ସ୍ପୋର୍ଟସ ଆର୍ବିଟେସନ କୋର୍ଟ।

ରୌପ୍ୟ ପଦକ ପ୍ରଦାନ କରିବାକୁ ଭିନେଶ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ସିଏଏସ୍। ଗତ ୬ ତାରିଖରେ ଭିନେଶ ଫୋଗଟ ୫୦ କେଜି ବର୍ଗରେ ଖେଳିଥିଲେ। ସେ ପ୍ରଥମ ରାଉଣ୍ଡରେ ବିଶ୍ୱର ଏକ ନମ୍ବର ଖେଳାଳି ଜାପାନର ୟୁଇ ସୁସାକିଙ୍କୁ ପରାସ୍ତ କରିବା ପରେ କ୍ୱାର୍ଟର ଫାଇନାଲ ଓ ୟୁକ୍ରେନର ଓକସାନା ଲିଭାକାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। କ୍ୟୁବାର ୟୁସନେଲିସ୍ ଗୁଜମ୍ୟାନଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ କୁସ୍ତି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ। ୫୦ କେଜି ମହିଳା କୁସ୍ତି ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ। କିନ୍ତୁ ଫାଇନାଲ୍ ପୂର୍ବରୁ ଓଜନ ହ୍ରାସ କରିବାରେ ବିଫଳ ହୋଇଥିଲେ ଭିନେଶ। ଧାର୍ଯ୍ୟଠାରୁ ଅଧିକ ଓଜନ ହେତୁ ତାଙ୍କୁ ଡିସକ୍ୱାଲିଫାଏଡ୍ କରାଯାଇଥିଲା। ୫୦ କେଜିଠାରୁ ୧୫୦ ଗ୍ରାମ ଅଧିକ ଓଜନର ଥିବା ଜଣାପଡିବା ପରେ ତାଙ୍କୁ ଡିସକ୍ୱାଲିଫାଏଡ୍ କରାଯାଇଥିଲା।

ଅନ୍ୟପଟେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସେମିଫାଇନାଲରେ ଭିନେଶଙ୍କ ଠାରୁ ପରାସ୍ତ ହୋଇଥିବା କ୍ୟୁବାର ୟୁସନେଲିସ୍ ଗୁଜମ୍ୟାନଙ୍କୁ ଅଗଷ୍ଟ ୭ ତାରିଖରେ ଆମେରିକାର ସାରା ଆନ୍ ହିଲଡରବ୍ରାଣ୍ଟଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ମୁକାବିଲାରେ ଭାଗ ନେବାକୁ ଅନୁମତି ଦେଇଥିଲେ।

ଏହା ପରେ ଭିନେଶଙ୍କୁ ଆଇଓସିର ଅଯୋଗ୍ୟତା ଘୋଷଣା କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ସିଏଏସରେ ଭିନେଶ ଆବେଦନ କରିଥିଲେ। ଆବେଦନରେ ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯାଉ ଏବଂ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଉ। କିନ୍ତୁ ଭିନେଶଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍।