ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଓଡିଶାବାସୀଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୫/୮: ଆଜି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଦେଶର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବୀର ସାବରକର, ସହିଦ ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ, ଡ଼ ବି.ଆର ଆମ୍ବେଦକର ଓ ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ସେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ ଅସ୍ମିତା ଶୀର୍ଷରେ ପହଞ୍ଚିବ। ଓଡ଼ିଆ ଭାଷାରେ ପ୍ରଶାସନିକ କାର୍ଯ୍ୟ କରାଯିବ। ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଖାଲି ପଡ଼ିଥିବା ରାଜ୍ୟ ସରକାରଙ୍କ ଦେଢ଼ ଲକ୍ଷ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ। ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ଏବଂ ବିଜେପି ସରକାର ଦେଶର ସମୃଦ୍ଧି ପାଇଁ କାମ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଖୁବଶୀଘ୍ର ଆମେ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବୁ ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ସ୍ୱାଧୀନତା ଦିବସର ମୁଖ୍ୟ ବିଷୟବସ୍ତୁ ରହିଛି ବିକଶିତ ଭାରତ@୨୦୪୭। ସେହିପରି ଚଳିତ ବର୍ଷ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସର ପ୍ୟାରେଡରେ ୫୯ଟି ଦଳ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ପୁଲିସ, ସିଆରପିଏଫ, ୧୨୦ତମ ବାଟାଲିୟନ, ସିଆଇଏସଏଫ, ଟ୍ରାଫିକ, ବିଏସଏଫ, ଅଗ୍ନିଶମ ବାହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ପ୍ରଥମ ଥର ପାଇଁ ଏଥର ଛତିଶଗଡ଼ ସଶସ୍ତ୍ର ପୁଲିସ ଏବଂ ଭାରତ-ତିବ୍ଦତୀୟ ପୁଲିସ ବାହିନୀର ଏକ ଟିମ୍ ମଧ୍ୟ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ।