ସ୍ୱାଧୀନତା ଦିବସରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି

କଟକ, ୧୫/୮: ମାସିକ ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଛୁଟି। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଇଚ୍ଛାଧିନ ଭାବରେ ମହିଳା ମାନେ କାର୍ଯ୍ୟରୁ ଛୁଟି ନେଇ ପାରିବେ। ଆଜି କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଛୁଟି ଘୋଷଣା କରି କହିଛନ୍ତି, ଏଥର ଋତୁସ୍ରାବ ଜନିତ ପୀଡା ଦୂର ପାଇଁ କର୍ମଜୀବୀ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଦିନେ ଛୁଟି ନେଇ ପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଛୁଟି ନେଇ ପାରିବେ ମହିଳା। ଆଗରୁ ଛୁଟି ମିଳୁନଥିବା ବେଳେ ଏବେ ଯେକୌଣସି ଗୋଟିଏ ଦିନ ଛୁଟି ନେଇ ପାରିବେ ମହିଳା। ସରକାରୀ ଓ ଘରୋଇ ମହିଳା କର୍ମଚାରୀମାନଙ୍କୁ ମଧ୍ୟ ଏହି ସୁଯୋଗ ମିଳିପାରିବ।