ଶଙ୍ଖ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ ନବୀନ

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଓ ନବୀନ ନିବାସରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି।

ସମ୍ମାନିତ ହେଲେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ

ଭୁବନେଶ୍ବର, ୧୫/୮: ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ପାଳିତ ହୋଇଯାଇଛି ୭୮ତମ ସ୍ୱାଧୀନତା ଦିବସ। ଶଙ୍ଖ ଭବନ ପରିସରରେ ପତାକା ଉତ୍ତୋଳନ କରିଥିଲେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ। ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେଡି ରାଜ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ମହାନ ସ୍ୱାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ନବୀନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ବେଗୁନିଆ ଗାନ୍ଧୀ ନୀଳକଣ୍ଠ ମିଶ୍ରଙ୍କ ପୁଅ ଶିବ ନାରାୟଣ ମିଶ୍ର, ଭଦ୍ରକ ତାଳପଦାର କୃପାସିନ୍ଧୁ ଦାସଙ୍କ ନାତୁଣୀ କିରଣବାଳା ଦାସ, ଧାମନଗରର ମୁରଲୀଧର ଜେନାଙ୍କ ବୋହୁ ମମତା ଜେନା, ଏରସମାର ଭିମଚରଣ ଦାସଙ୍କ ପୁଅ ଶିବବ୍ରତ ଦାସ, ବଡଚଣାର ଚନ୍ଦ୍ରକାନ୍ତ ସାମଲଙ୍କ ପୁଅ ନୀଳମଣି ସାମଲ, ଭିକାରୀଚରଣ ମହାନ୍ତିଙ୍କ ପୁଅ ପ୍ରମେଶ ମହାନ୍ତି, ହରି ବାରିକଙ୍କ ପୁଅ ହିମାଂଶୁ ବାରିକ, ଜୟକୃଷ୍ଣ ମହାନ୍ତି ଓ କିରଣବାଳା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା, ଭୁବନେଶ୍ବର ଲକ୍ଷ୍ମୀସାଗରର ଝୁଲ ଲେଙ୍କାଙ୍କ ପୁଅ ବିଜୟ ଲେଙ୍କା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି।

ଏହା ପରେ ସ୍କୁଲ ପିଲାମାନଙ୍କ ଗହଣରେ ନବୀନ ନିବାସରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରିବା ସହ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ନବୀନ କହିଥିଲେ, ଦେଶର ଭବିଷ୍ୟତ ହେଉଛନ୍ତି ଶିଶୁ। ସେମାନେ ଆସନ୍ତାକାଲିର ଆଲୋକ ବର୍ତ୍ତିକା। ତେଣୁ ରାଷ୍ଟ୍ର ଗଠନରେ ସେମାନେ ଅବଦାନ ଦିଅନ୍ତୁ ବୋଲି ନବୀନ ଆହ୍ୱାନ କରିଥିଲେ।