ନୂଆ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ଐତିହାସିକ ଦୁର୍ଗ ଲାଲକିଲ୍ଲାରୁ ସାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇଥାନ୍ତି।

ଲାଲକିଲ୍ଲାରୁ ୯୮ ମିନିଟର ଲମ୍ବା ଅଭିଭାଷଣ ରଖିଲେ

ନୂଆଦିଲ୍ଲୀ, ୧୫/୮: ଗୁରୁବାର ଅଗଷ୍ଟ ୧୫ ତାରିଖରେ ଦେଶ ପାଳୁଛି ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ଐତିହାସିକ ଦୁର୍ଗ ଲାଲକିଲ୍ଲାରୁ ସାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇଥାନ୍ତି। ଚଳିତ ବର୍ଷ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବା ସହ ନିଜ ନାମରେ ଥିବା ରେକର୍ଡ ଭାଙ୍ଗି ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ନରେନ୍ଦ୍ର ମୋଦି ତାଙ୍କର ୧୧ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ୯୮ ମିନିଟରେ ଦୀର୍ଘତମ ଭାଷଣ ଦେଇଛନ୍ତି। ୨୦୧୪ରେ ପ୍ରଥମ ଥର ଶାସନ କ୍ଷମତାକୁ ଆସିବା ପରେ ୬୫ ମିନିଟ୍ ଧରି ଭାଷଣ ଦେଇଥିଲେ। ୨୦୧୫ରେ ୮୮ ମିନିଟ୍, ୨୦୧୬ରେ ୯୬ ମିନିଟ୍, ୨୦୧୭ରେ ୫୬ ମିନିଟ୍, ୨୦୧୮ରେ ୮୩ ମିନିଟ୍, ୨୦୧୯ରେ ୯୨ ମିନିଟ୍, ୨୦୨୦ରେ ୯୦ ମିନିଟ୍, ୨୦୨୧ରେ ୮୮ ମିନିଟ୍, ୨୦୨୨ରେ ୭୪ ମିନିଟ୍ ଓ ୨୦୨୩ରେ ୯୦ ମିନିଟର ଅଭିଭାଷଣ ରଖିଥିଲେ। ତେବେ ୨୦୨୪ରେ ୯୮ ମିନିଟର ଭାଷଣ ଦେଇ ନିଜ ନାମରେ ଥିବା ରେକର୍ଡ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପରେ ଆଇକେ ଗୁଜରାଲ ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ। ୧୯୪୭ରେ ନେହେରୁ ୭୨ ମିନିଟ୍ ଓ ୧୯୯୭ରେ ଗୁଜରାଲ ୭୧ ମିନିଟ୍ ଭାଷଣ ଦେଇଥିଲେ। ସବୁଠାରୁ କ୍ଷୁଦ୍ର ଭାଷଣ ରେକର୍ଡ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପାଖକୁ ଯାଇଥାଏ। ଦୁହେଁ ଯଥାକ୍ରମେ ୧୯୫୪ ଓ ୧୯୬୬ରେ ୧୪ ମିନିଟର ଭାଷଣ ଦେଇଥିଲେ। ଲଗାତାର ଦୁଇ ଥର ୟୁପିଏ ସରକାରର ନେତୃତ୍ୱ ନେଇଥିବା ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବେ ୨୦୧୨ରେ ୩୨ ମିନିଟ୍ ଓ ୨୦୧୩ରେ ୩୫ ମିନିଟ୍ ଭାଷଣ ଦେଇଥିଲେ। ଏନଡିଏ ଶାସନ କାଳରେ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀ ୨୦୦୨ରେ ୨୫ ମିନିଟ୍ ଓ ୨୦୦୩ରେ ୩୦ ମିନିଟର ଭାଷଣ ଦେଇଥିଲେ।

ଏହା ସହ ପ୍ରଧାନମନ୍ତ୍ରୀ ଭାବେ ୧୧ ଥର ପାଇଁ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ନରେନ୍ଦ୍ର ମୋଦି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୦ ଥର ପତାକା ଉତ୍ତୋଳନ କରିଥିଲେ। କିନ୍ତୁ ପତାକା ଉତ୍ତୋଳନ କରିବାରେ ସବୁଠୁ ଅଧିକ ରେକର୍ଡ ରହିଛି ଜବାହାରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପାଖରେ। ୧୯୪୭ରୁ ୧୯୬୪ ମଧ୍ୟରେ ୧୭ ଥର ପତାକା ଉତ୍ତୋଳନ କରିଥିଲେ ନେହେରୁ। ପରେ ଇନ୍ଦିରା ଗାନ୍ଧି ୧୯୬୬ରୁ ୧୯୭୭ ଓ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ୧୬ ଥର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଟଳ ବିହାରୀ ବାଜପେୟୀ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କ୍ରମାଗତ ୬ ଥର ପତାକା ଉତ୍ତୋଳନ କରିଥିଲେ।

ରାଜୀବ ଗାନ୍ଧୀ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ୫ ଥର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ପିଭି ନରସିଂହ ରାଓ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ୫ ଥର ପତାକା ଉତ୍ତୋଳନ କରିଥିଲେ। ୧୯୬୪ ଓ ୧୯୬୬ ମସିହାରେ ଲାଲ ବାହାଦୁର ଶାସ୍ତ୍ରୀ ଦୁଇ ଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ। ସେହିଭଳି ମୋରାରଜୀ ଦେଶାଇ ୧୯୭୭ରୁ ୧୯୭୯ ମଧ୍ୟରେ ଦୁଇଥର ପତାକା ଉତ୍ତୋଳନ କରିଥିଲେ। ଦେଶର କେବଳ ଦୁଇ ଜଣ ପ୍ରଧାନମନ୍ତ୍ରୀ ଗୁଲଜାରୀ ଲାଲ ନନ୍ଦ ଓ ଚନ୍ଦ୍ର ଶେଖର ଗୋଟିଏ ଥର ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରି ପାରିନଥିଲେ।