ମାର୍ଗଦର୍ଶକ ସାଜିବ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ”

ଆଜିଠୁ ଦୁଇ ଦିନିଆ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆରମ୍ଭ ହୋଇଛି।

ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୭/୮: ଆଜିଠୁ ଆରମ୍ଭ ହୋଇଛି ବିଧାୟକଙ୍କ ଦୁଇ ଦିନିଆ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ”। ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କୁ ମାର୍ଗଦର୍ଶନ ଦେଖାଇବେ ଅଭିଜ୍ଞ ବିଧାୟକ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖିଥିଲେ। ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରତି ବିଧାନସଭା ଗଠନ ପରେ ପରେ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ବିଧାନସଭା ତରଫରୁ ଆୟୋଜନ କରାଯାଉଥିବା “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ”, ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଥିଲେ ଯେ ସେ ଆପଣମାନଙ୍କୁ ମୁଁ ମନେପକାଇ ଦେବାକୁ ଚାହେଁ ଯେ, ୨୪ ବର୍ଷ ତଳେ ମୁଁ ଯେତେବେଳେ ବିଧାନସଭାକୁ ନିର୍ବାଚିତ ହୋଇ ପ୍ରଥମଥର ପାଇଁ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଂସଦୀୟ ପରମ୍ପରାର ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲି। ପରବର୍ତ୍ତୀ ସମୟରେ ଏହିପରି କାର୍ଯ୍ୟକ୍ରମରେ ମୋତେ ଅତିଥି ଭାବେ ଆସିବାକୁ ପଡିଥିଲା ଏବଂ ମୁଁ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପ୍ରଶିକ୍ଷଣରେ ମୋର ଅନୁଭୁତିକୁ ସେମାନଙ୍କ ସହ ବାଣ୍ଟିବାର ସୁଯୋଗ ପାଇଥିଲି। ତେଣୁ ଆଜିର ଶିକ୍ଷଣୀୟ କାର୍ଯ୍ୟକ୍ରମ ମୋତେ ବହୁତ ଆନନ୍ଦିତ କରିଛି।
ଆଶା କରୁଛି ଯେ, ଏହି କାର୍ଯ୍ୟକ୍ରମର ଆଲୋଚନା ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ।

ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବାସ୍ତବ କ୍ଷମତାର ଅଧିକାରୀ ହେଉଛନ୍ତି ଆମ ଜନସାଧାରଣ । ଗଣତାନ୍ତ୍ରିକ ଶାସନ ପଦ୍ଧତିର ସଠିକ୍‌ କାର୍ଯ୍ୟକାରିତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇ ଚାଲିଛି। ଯାହାଫଳରେ ବିଶ୍ୱ ଦରବାରରେ ଆମ ଦେଶର ଓ ରାଜ୍ୟ ଗୁଡିକର ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଓଡିଆ ଅସ୍ମିତା ଓ ପରମ୍ପରାକୁ ନେଇ ଆମ ଓଡିଶାକୁ ବିକଶିତ ଭାରତବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି।

ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ସଂଖ୍ୟାଧିକ ମତକୁ ନେଇ ପ୍ରତିନିଧି ସଭା ଗଠନ କରାଯାଇ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ସଫଳ କରିବା ପାଇଁ ସମସ୍ତେ ଚେଷ୍ଟା କରି ଚାଲିଛନ୍ତି। ଏହି କ୍ଷେତ୍ରରେ ନିର୍ବାଚିତ ବିଧାୟକ, ବିଧାୟିକା ଓ ସାଂସଦ ମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି ସମ୍ବିଧାନର ବ୍ୟବସ୍ଥା ଭିତରେ ବାନ୍ଧିହୋଇ ପ୍ରଦତ୍ତ କ୍ଷମତାର ସଦୁପୋଯୋଗ କରି ମତଦାତା ମାନଙ୍କର ଆଶା ଓ ଭରସାକୁ ନିଷ୍ଠାପର ଭାବେ କର୍ମକରି ସେବା ମାଧ୍ୟମରେ ପୂରଣ କରିବା ପାଇଁ ଚେଷ୍ଟାକରି ସେମାନଙ୍କର ମାନ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା । କାରଣ ଜନସାଧାରଣଙ୍କ ମତରେ “ଜଣେ ଲୋକ ପ୍ରତିନିଧି ଉପଯୁକ୍ତ ସ୍ଥାନରେ ରହି ଦେଶ ଓ ରାଜ୍ୟର ସେବାରେ ବ୍ରତୀ ହେବାପାଇଁ ସୁଯୋଗ ପାଉ ଏବଂ ଶାସନ ପରିଚାଳନା ଲୋକାଭିମୁଖୀ ହେଉ” ।

ଏ ସମ୍ପର୍କରେ ସମ୍ବିଧାନ ସଭାର ସଭାପତି ଭାବେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ରାଷ୍ଟ୍ରପତି ଡଃ. ପଣ୍ଡିତ ରାଜେନ୍ଦ୍ର ପ୍ରସାଦଙ୍କ ଉକ୍ତି ଅତ୍ୟନ୍ତ ଶିକ୍ଷଣୀୟ ଓ ପ୍ରଣିଧାନ ଯୋଗ୍ୟ। ତାଙ୍କ ମତରେ “ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସବୁବେଳେ ଯୋଗ୍ୟ ବ୍ୟକ୍ତି ଓ ସମାଜ ସେବାରେ ବ୍ରତୀ ରହୁଥିବା ଲୋକ ପ୍ରତିନିଧି ନିର୍ବାଚିତ ହୋଇ ଆସିବା ଦରକାର”। ଏହାର ସଫଳ ରୂପାୟନ ପାଇଁ ଆମ ଦେଶର ବିଧାନସଭା, ବିଧାନ ପରିଷଦ ଗୁଡିକ ଏବଂ ଭାରତର ସର୍ବୋଚ୍ଚ ଲୋକ ପ୍ରତିନିଧି ମୂଳକ ସଂସ୍ଥା, ଲୋକସଭା ଓ ରାଜ୍ୟସଭା ସବୁବେଳେ ଗଣତନ୍ତ୍ରରେ ବିଶ୍ୱାସ ରଖି ସଫଳତାର ସହ କାର୍ଯ୍ୟକରି ଆସୁଅଛି।

ଏହି ପରିପ୍ରେକ୍ଷୀରେ ସରକାର ଚଳାଉଥିବା ଅଧିକାଂଶ ନେତା ମାନେ ଆମରି ଭିତରୁ ବଛା, ବଛା କର୍ମପ୍ରବଣ ନିଃସ୍ୱାର୍ଥପର ବିଧାୟକ, ମନ୍ତ୍ରୀ, ପାରଙ୍ଗମ ଓ ଦାୟିତ୍ୱବାନ ବ୍ୟକ୍ତି ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଠିକ୍ ଠିକ୍ ଭାବେ କାର୍ଯ୍ୟକରି ଆମ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ। ଏଥିରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ ।

ଆମ ପରମ୍ପରାରେ ପରିବାର ପାଇଁ ବ୍ୟକ୍ତି, ଗାଁ ପାଇଁ ପରିବାର, ରାଜ୍ୟ ପାଇଁ ଗାଁ, ଦେଶ ପାଇଁ ଓ ରାଜ୍ୟର କଲ୍ୟାଣ ପାଇଁ ସଂକୀର୍ଣ୍ଣ ସ୍ୱାର୍ଥକୁ ତ୍ୟାଗ କରି ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ନୀତି ଆଦର୍ଶର ସ୍ଥାପନା ପାଇଁ ଲୋକ ପ୍ରତିନିଧି ମାନେ ସାଧାରଣତଃ ରାଷ୍ଟ୍ର ଧର୍ମ ପାଳନ କରିବା ସହିତ, ମାନବିକତାକୁ ସର୍ବୋଚ୍ଚ ସ୍ଥାନ ଦେବାର ସଠିକ୍‌ ସମୟ ଆସିଛି ।

ବିଶ୍ୱଭାତୃତ୍ୱଭାବ ଓ ଜଗତକଲ୍ୟାଣ ସାଧନ କରିବା କ୍ଷେତ୍ରରେ ଆମ ଦେଶ ପୃଥିବୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବାକୁ ଯାଉଛି ; ଯାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଉକ୍ତ କର୍ମଶାଳାର ଆଲୋଚନା ବିଧାୟକ ଓ ବିଧାୟିକା ମାନଙ୍କୁ ବିଧାନସଭାରେ ରହି ବିଧାନସଭାର କାର୍ଯ୍ୟଧାରା ଓ ପରିଚାଳନା ଅନୁସାରେ ଗୃହର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜଣେ ଶୃଙ୍ଖଳିତ ସଦସ୍ୟ ବା ସଦସ୍ୟା ହୋଇ ବିଧାୟକ ନିୟମର ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ ନିଶ୍ଚୟ।

ବିଧାନସଭାର କାର୍ଯ୍ୟଧାରା ଓ ତତ୍ ସମ୍ପର୍କୀୟ ନିୟମ ତଥା ବ୍ୟବସ୍ଥାପକ ମାନଙ୍କ ଦାୟିତ୍ୱ, ଅଧିକାର ଓ ସ୍ୱାଧିକାର ସମ୍ପର୍କୀୟ ଆଲୋଚନା, ଗୃହର ବିଭିନ୍ନ ବୈଧାନିକ ପ୍ରକ୍ରିୟା, ଗୃହଭିତରେ ପରମ୍ପରା ଓ ଶିଷ୍ଟାଚାରର ପ୍ରକ୍ରିୟା, ଆଇନ ପ୍ରଣୟନ ପ୍ରକ୍ରିୟା, ବାଚସ୍ପତି ମହୋଦୟାଙ୍କ ଦ୍ୱାରା ଗଠିତ ବିଭିନ୍ନ କମିଟିର କ୍ଷମତା ଓ ଦାୟିତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ବିଧାୟକ ଓ ବିଧାୟିକାମାନଙ୍କୁ, ଜଣେ ଜଣେ ସୁଦକ୍ଷ ସଦସ୍ୟଭାବେ ଗଢି ତୋଳିବାରେ ସହାୟକ ହେବ। ଏଥି ସହ ଅତିଥି ଓ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସଦସ୍ୟ ସଦସ୍ୟାମାନଙ୍କୁ ଧନ୍ୟବାଦ ଦେଇଥିଲେ।