୨୫ରୁ ବିଜେଡ଼ି ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଆଜିର ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ବର୍ଜନ କରିଛି ବିଜେଡ଼ି।

ନୂଆ ବିଧାୟକଙ୍କୁ ଟ୍ରେନିଂ ଦେବେ ଅଭିଜ୍ଞ ବିଧାୟକ

ଭୁବନେଶ୍ୱର, ୧୭/୮: ଆଜିଠୁ ଆରମ୍ଭ ହୋଇଛି ବିଧାୟକଙ୍କ ଦୁଇ ଦିନିଆ ପାଠଶାଳା। ରାଜ୍ୟ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ହୋଇଛି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ। ତେବେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାନସଭା ଗରିମା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରାଯାଇ କାର୍ଯ୍ୟକ୍ରମକୁ ବର୍ଜନ କରାଯାଇଛି। ଏଥିରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଯୋଗ ଦେଇ ନାହାନ୍ତି।

ଏପରି ସ୍ଥିତିରେ ଆସନ୍ତା ୨୫ ତାରିଖରୁ ଦଳୀୟ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଆଜି ବିଜେଡ଼ି ଉପମୁଖ୍ୟ ସଚେତକ ପ୍ରତାପ ଦେବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଗଷ୍ଟ ୨୫ ତାରିଖ ସକାଳ ୧୦ଟାରୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଧାୟକଙ୍କୁ ଟ୍ରେନିଂ ଦିଆଯିବ। ଏହା ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଧାନସଭାର ନୂଆ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେଲେ ଅଭିଜ୍ଞ ବିଧାୟକ ବୋଲି ପ୍ରତାପ ଦେବ କହିଛନ୍ତି। ସେହିପରି ଆଜିର ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ନ ଦେଖି ପ୍ରସଙ୍ଗରେ କହିଛନ୍ତି, ଆମେ କୌଣସି ବ୍ୟକ୍ତିବିଶେଷଙ୍କୁ ବିରୋଧ କରୁନାହୁଁ। ବରଂ ଗୃହର ସାମ୍ବିଧାନିକ ପଦମର୍ଯ୍ୟାଦାକୁ ନଷ୍ଟ କରାଯିବାକୁ ବିଜେଡ଼ି ବିରୋଧ କରୁଛି। ଗୃହରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ରାଜ୍ୟପାଳ ଥିଲେ ମଧ୍ୟ ସରକାର ଏହି କାର୍ଯ୍ୟକ୍ରମର ଉଦଘାଟନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଡାକିଛନ୍ତି। ଯେଉଁଥିପାଇଁ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପଦମର୍ଯ୍ୟାଦା ନଷ୍ଟ ହେଉଛି ଏବଂ ଏକ ଭୁଲ୍‌ ପରମ୍ପରା ସୃଷ୍ଟି ହେଉଛି ବୋଲି ପ୍ରତାପ କହିଛନ୍ତି।