ଭିଜିଲାନ୍ସକୁ ରେଞ୍ଜରଙ୍କ କୋକୁଆ ଭୟ: ଟଏଲେଟ ଫ୍ଲସରେ ଲୁଚାଇଲେ ବିଡା ବିଡା ଟଙ୍କା

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୂବାନନ୍ଦ ମିଶ୍ର। ୮ଟି ସମ୍ପତ୍ତି ଉପରେ ଭିଜିଲାନ୍ସର ଚଢ଼ାଉ

ଢେଙ୍କାନାଳ ସଦର ରେଞ୍ଜରଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖି ଭିଜିଲାନ୍ସ ତାଜୁବ

ଢେଙ୍କାନାଳ, ୨୨/୮: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ସଦର ରେଞ୍ଜରଙ୍କ ଉପରେ ଚଢ଼ାଉ ଆରମ୍ଭ କରିଥିଲା କଟକର ଭିଜିଲାନ୍ସ ଟିମ୍। ଢେଙ୍କାନାଳ, କଟକ ଓ ଭୁବନେଶ୍ବରର ୮ଟି ସ୍ଥାନରେ ଶ୍ରୀ ମିଶ୍ରଙ୍କ ସହ ଜଡ଼ିତ ସମ୍ପତ୍ତି ଉପରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି।

ଏହି ଚଢ଼ାଉରେ ୭ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର ଓ ୬ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କ ସମେତ ୨୦ ଜଣିଆ ଟିମ୍ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ସମ୍ପତ୍ତିର ବିବରଣୀ ଏଠାରେ ଦିଆଯାଇଛି:

ଢେଙ୍କାନାଳ ରତ୍ନ ବଜାରରେ ଥିବା ଏକ ତିନି ମହଲା କୋଠା ପ୍ଲଟ ନଂ ୩୧୬/୬୦୩୪।
ଢେଙ୍କାନାଳ ରତ୍ନ ବଜାରରେ ଥିବା ଏକ ଦୁଇ ମହଲା କୋଠା ପ୍ଲଟ୍ ନଂ ୩୧୬/୬୫୪୦/୧୦୬୩୮।
କଟକର ଆଠଗଡରେ ଥିବା ଏକ ବ୍ରଏଲର ଫାର୍ମ।
ଭୁବନେଶ୍ୱରର ରସୁଲଗଡର ଜିଜିପି କଲୋନୀରେ ଥିବା ବୃନ୍ଦା ବସେରା ଆପାର୍ଟମେଣ୍ଟରେ ଫ୍ଲାଟ୍ ନଂ-୨୦୧।
କଟକ ଆଠଗଡ଼ର ବୀରକିଶୋରପୁରରେ ଥିବା ପୈତୃକ ଘର।
ଢେଙ୍କାନାଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର।
ଢେଙ୍କାନାଳରେ ଥିବା କାର୍ଯ୍ୟାଳୟ।
ଢେଙ୍କାନାଳରେ ଥିବା ସରକାରୀ କ୍ୱାର୍ଟର।

ଢେଙ୍କାନାଳର ରତ୍ନବଜାରସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ। ଢେଙ୍କାନାଳରେ ୧ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ବିଳାସପୂର୍ଣ୍ଣ ଘର ଦେଖି ଭିଜିଲାନ୍ସ ତାଜୁବ। ତେବେ ଭିଜିଲାନ୍ସକୁ ଚକମା ଦେଖାଇବାକୁ ଯାଇ ବାସଭବନର ଟଏଲେଟ ଫ୍ଲସରେ ବିଡା ବିଡା ଟଙ୍କା ଲୁଚାଇ ରଖିଥିଲେ ବିଭୁବାନନ୍ଦ। କିନ୍ତୁ ତଦନ୍ତ ପରେ ଭିଜିଲାନ୍ସ ଉକ୍ତ ଟଙ୍କା ଠାବ କରିଥିଲା। ସେହିପରି ଆଠଗଡରେ ୮ ଏକର ଜମିରେ କରିଥିଲେ ବିଳାସପୂର୍ଣ୍ଣ ଫାର୍ମ ହାଉସ। ଏହି ଫାର୍ମ ହାଉସକୁ ଦେଖିଲେ ବିଭିନ୍ନ ପ୍ରକାର ପଶୁ ଓ ପକ୍ଷୀ ଯେପରିକି ଠେକୁଆ, ମୟୂର, ଶୁଆ, ବତକ ଇତ୍ୟାଦିଙ୍କୁ ରଖିବା ସହ ମନୋରଞ୍ଜନ ପାଇଁ ଏକ ଭିୟୁ ଟାୱାର ମଧ୍ୟ ବନାଇଛନ୍ତି। ଏହା ବ୍ୟତୀତ ଭୁବନେଶ୍ବରସ୍ଥିତ ବାସଭବନରୁ ମିଳିଛି ୧୦ଟି ଦାମୀ ଘଣ୍ଟା। ତେବେ ଏହି ରେଞ୍ଜରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ମଧ୍ୟ ଚକିତ ହୋଇଯାଇଛି। ଏପର୍ଯ୍ୟନ୍ତ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇନାହିଁ।