ଯେତେବେଳେ କେହି ନଥିଲେ, ସେତେବେଳେ ହକି ପାଇଁ ଆଗେଇ ଆସିଥିଲେ ନବୀନ

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ।

ନବୀନଙ୍କୁ ଭେଟିଲେ ଭାରତୀୟ ହକି ଟିମ୍

ଭୁବନେଶ୍ବର, ୨୨/୮: ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାରତୀୟ ପୁରୁଷ ହକି ଟିମ୍। ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଓଡ଼ିଶା ଗସ୍ତରେ ଆସିଥିଲେ ହକି ଟିମ୍। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହ ଭୁବନେଶ୍ବର ଏୟାରପୋର୍ଟଠାରୁ କଳିଙ୍ଗ ଷ୍ଟାଡିୟମ ଯାଏଁ ଏକ ବିଶାଳ ରୋଡ୍ ସୋ କରିଥିଲେ। ତେବେ ଆଜି ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟି ହକି ପାଇଁ ଥିବା ତାଙ୍କ ଅତୁଳନୀୟ ଅବଦାନ ଯୋଗୁଁ ଧନ୍ୟବାଦ ଜଣାଇଛନ୍ତି।

ନବୀନ ପଟ୍ଟନାୟକ ହକି ଟିମକୁ ଉତ୍ତରୀୟ ସହ ରୂପା ତାରକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇବା ସହ ସହ ଆଗାମୀ ଦିନରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ବିତ କରିବା ପାଇଁ କାମନା କରିଥିଲେ ନବୀନ। ନବୀନ ପଟ୍ଟନାୟକ ଶାସନରେ ଥିବା ବେଳେ ଓଡ଼ିଶା ହକି ଇଣ୍ଡିଆର ସ୍ପନସରସିପ କରିବା ପାଇଁ ଆଗେଇ ଆସିଥିଲା। ତେଣୁ ନବୀନ ପଟ୍ଟନାୟକଙ୍କୁ ହକି ଖେଳାଳିମାନେ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ, ଯେତେବେଳେ ହକି ଇଣ୍ଡିଆର ପ୍ରାୟୋଜକ ହେବା ପାଇଁ କେହି ନଥିଲେ, ସେତେବେଳେ ହକି ଇଣ୍ଡିଆର ହାତ ଧରିଥିଲେ ମାନନୀୟ ନବୀନ ପଟ୍ଟନାୟକ। ଭାରତୀୟ ହକି ଓ ଓଡ଼ିଶା କ୍ରୀଡ଼ା ପ୍ରତି ଥିବା ନବୀନଙ୍କ ଅବଦାନ ଅତୁଳନୀୟ। ଓଡ଼ିଶା ଆଜି ସ୍ପୋର୍ଟସ କ୍ୟାପିଟାଲ ପରିଣତ ହେବାରେ ନବୀନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ହକି ଖେଳାଳିମାନେ କହିଛନ୍ତି।