ଘନଘନ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଓଏସ୍ଆରଟିସିର ସିଏଓ

ଭୁବନେଶ୍ୱର, ୨୩/୮: ବର୍ତ୍ତମାନ ସକ୍ରିୟ ଅଛି ଓଡ଼ିଶା ଭିଜିଲାନ୍ସ। ଘନଘନ କରୁଛି ରେଡ୍। ଅନବରତ ଭିଜିଲାନ୍ସ ହାବୁଡରେ ପଡୁଛନ୍ତି ଲାଞ୍ଚୁଆ ସରକାରୀ ଅଧିକାରୀ। ଆଜି ମଧ୍ୟ ଓଏସ୍ଆରଟିସିର ସିଏଓଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଓଡ଼ିଶା ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଆର୍ଥିକ ପରାମର୍ଶଦାତା ତଥା ଚିଫ୍ ଆକାଉଣ୍ଟ ଅଫିସରଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସିଏଓ ବିଜୟ ମଙ୍ଗରାଜଙ୍କ ସହ ଜଡ଼ିତ ଭୁବନେଶ୍ୱର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ଭୁବନେଶ୍ୱର ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଏହି ଟିମ୍ ଦ୍ୱାରା ଚଢ଼ଉ କରାଯାଇଛି।

ଭୁବନେଶ୍ବରର ନନ୍ଦନବିହାରସ୍ଥିତ ନନ୍ଦନକାନନ ରୋଡରେ ଥିବା ଫ୍ଲାଟ, ଭୁବନେଶ୍ବରର ପଳାଶୁଣୀର ନିଉ କଲୋନୀରେ ଥିବା ଦୁଇଟି ଦୁଇ ମହଲା ଘର, ଭୁବନେଶ୍ବରର ଖାରବେଳନଗରରେ ଥିବା ଓଏସ୍ଆରଟିସି କାର୍ଯ୍ୟାଳୟ ଓ ବାରିପଦା ଷ୍ଟେସନ ରୋଡରେ ଥିବା ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି।