ନେପାଳରେ ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍

୪୦ ଜଣ ଯାତ୍ରୀଙ୍କୁ ନେଇ ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା ବସ୍।

୧୪ ଭାରତୀୟ ମୃତ, ୧୬ ଆହତ

ନେପାଳ, ୨୩/୮: ନଦୀକୁ ଖସି ପଡ଼ିଲା ନେପାଳକୁ ଯାଉଥିବା ଭାରତୀୟ ବସ୍। ନେପାଳର ତାନାହୁଁ ଜିଲ୍ଲାରେ ଶୁକ୍ରବାର ଏକ ଭାରତୀୟ ଯାତ୍ରୀବାହୀ ବସ୍ ମର୍ସ୍ୟାଙ୍ଗଦି ନଦୀକୁ ଖସି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି ବୋଲି ନେପାଳ ପୋଲିସ ସ୍ପଷ୍ଟ କରିଛି। ୪୦ ଜଣ ଭାରତୀୟଙ୍କୁ ନେଇ ବସଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ଉକ୍ତ ବସରେ ଉତ୍ତରପ୍ରଦେଶରେ ପଞ୍ଜୀକୃତ ନମ୍ବରପ୍ଲେଟ ଥିବା ସୂଚନା ମିଳିଛି।

ଦୁର୍ଘଟଣାରେ ବସର ଉପର ଭାଗ ଭାଙ୍ଗି ଯାଇଥିବା ବେଳେ ମର୍ସ୍ୟାଙ୍ଗଦି ନଦୀ ନିକଟରେ ଭଗ୍ନାବଶେଷ ପଡିଥିବାର ଦେଖିବାକୁ ମିଳିଛି। ନେପାଳ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ବିଦ୍ୟାଳୟର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ମାଧବ ପୌଦେଲଙ୍କ ନେତୃତ୍ୱରେ ୪୫ ଜଣିଆ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।