ବନ୍ଦ ହେବ ନୂଆ-ଓ ଯୋଜନା

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ନୂଆ-ଓ ଛାତ୍ରବୃତ୍ତି ଯୋଜନା।

ଆସିବ ୟୁଜି ପିଜି ପିଲାଙ୍କ ପାଇଁ ନୂଆ ଯୋଜନା

ଭୁବନେଶ୍ବର, ୩୦/୮: ପୂର୍ବ ବିଜେଡି ସରକାର ଆରମ୍ଭ କରିଥିବା ନୂଆ-ଓ ଯୋଜନା ବନ୍ଦ କରିବେ ମୋହନ ସରକାର। ଚଳିତ ବଜେଟରେ ନୂଆ-ଓ ଯୋଜନାକୁ ନେଇ କୌଣସି ପ୍ରାବଧାନ ନାହିଁ। ଏହା ବଦଳରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସରକାର ଯୋଗାଇ ଦେବେ ଆର୍ଥିକ ସହାୟତା। ଏ ନେଇ ଆଜି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବିଜେଡ଼ି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତର ରଖି ଏହା ଘୋଷଣା କରିଛନ୍ତି ମନ୍ତ୍ରୀ।

ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ‘ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା’ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏହି ଯୋଜନାରେ ଯୋଗ୍ୟ ୟୁଜି ଓ ପିଜି ପିଲାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯେଉଁ ମେଧାବୀ ଛାତ୍ରଛାତ୍ରୀମାନେ ଆର୍ଥିକ ସ୍ଥିତି ହେତୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଉଲ୍ଲେଖଯୋଗ୍ୟ, କଲେଜ ପଢୁଥିବା ପିଲାମାନଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ଭଳି ଉଚ୍ଚଶିକ୍ଷା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆରମ୍ଭ କରିଥିଲେ ନୂଆ-ଓ ଛାତ୍ରବୃତ୍ତି ଯୋଜନା। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ମାଧ୍ୟମରେ ବାର୍ଷିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ଛାତ୍ରମାନଙ୍କୁ ୯୦୦୦/- ଟଙ୍କା ଓ ଛାତ୍ରୀମାନଙ୍କୁ ୧୦,୦୦୦/- ଟଙ୍କା ପ୍ରଦାନ କରାଯାଉଥିଲା।