ଶ୍ରୀମନ୍ଦିର ପାଇଁ ୪୧୩ କୋଟିର ବଜେଟ୍

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରତି ମାସରେ ବସିବ ସବ୍ କମିଟି ବୈଠକ

ପୁରୀ, ୩୦/୮: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ୪ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା ପାଇଁ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୧୦୩ କୋଟି ଟଙ୍କାର ବଳକା ବଜେଟ୍ ମଞ୍ଜୁର ହୋଇଥିବା ବେଳେ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଦେବେ ବୋଲି ବୋଲି ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ଭକ୍ତମାନେ କିପରି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେ ନେଇ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ, ଏସପି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଓ ସେବାୟତମାନେ ଏ ନେଇ ନିଷ୍ପତ୍ତି ନେବେ। ଦର୍ଶନ ସମୟରେ ମହିଳା, ଶିଶୁ ଓ ବୟସ୍କଙ୍କ ପାଇଁ ଅଲଗା ଧାଡ଼ି କରାଯିବ। ସେହିପରି ଭିନ୍ନକ୍ଷମ ଶ୍ରଦ୍ଧାଳୁମାନେ ମଧ୍ୟ ବିନା ଦ୍ୱିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥା କରାଯିବ।

ନାଟ ମଣ୍ଡପରେ ରଖାଯାଇଥିବା ଆଲମିରାଗୁଡ଼ିକୁ ବାହାର କରାଯାଇ ସେଠାରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଦ୍ୱାରରେ ସୁନା କୋଟିଂ ରହିବ। ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଏଫଏମ୍ ରେଡିଓ ଚ୍ୟାନେଲ ରହିବ। ସେବକଙ୍କ ପିଲାମାନେ ବୃତ୍ତି ଓ ଖେଳକୁଦରେ ସାମିଲ ହେବା ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ମିଳିବ। ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଓଆରଏସ୍ଏସି) ସହାୟତାରେ ଜମି ବିବାଦର ସମାଧାନ କରାଯିବ।

ପ୍ରତି ମାସରେ ଥରେ ନିୟମିତ ଭାବେ ନୀତି ସବ୍ କମିଟିର ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ରୀତିନୀତି କିପରି ଠିକ୍ ସମୟରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେ ନେଇ ପଦକ୍ଷେପ ନିଆଯିବ। ପହଣ୍ଡି ରୀତିନୀତି ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଏକ ସ୍ବତନ୍ତ୍ର ପହଣ୍ଡି ସମନ୍ୱୟ କମିଟି ଗଠନ କରାଯିବ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି।