ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା

ସୁଭଦ୍ରା ଯୋଜନା ସଂକ୍ରାନ୍ତୀୟ ସୂଚନା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର।

ସାମିଲ ହେବେ ଅଙ୍ଗନୱାଡି କର୍ମୀ, ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳା

ଭୁବନେଶ୍ବର, ୩୦/୮: ସୁଭଦ୍ରା ଯୋଜନାକୁ ନେଇ ପୁଣି ଏକ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଯୋଗ୍ୟ ମହିଳାଙ୍କ ଆବେଦନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ, ଅଙ୍ଗନୱାଡି କର୍ମୀ, ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସହ ଏମବିକେ ଓ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳାମାନେ ମଧ୍ୟ ଆବେଦନ କରିପାରିବେ। ଏତଦବ୍ୟତୀତ, ଅନ୍ୟ ସମସ୍ତ ମାନଦଣ୍ଡରେ ଯୋଗ୍ୟ ହେଉଥିଲେ ଆବେଦନ କରିପାରିବେ।

ସୁଭଦ୍ରା ଯୋଜନା ସଂକ୍ରାନ୍ତୀୟ ସୂଚନା ପାଇବା ପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ୧୪୬୭୮ ପାଇଁ ଟୋଲ୍ ଫ୍ରି ନଂ ଜାରି କରାଯାଇଛି। ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ସୁଭଦ୍ରା ଯୋଜନା ପାଇଁ ଟୋଲ୍ ଫ୍ରି ନମ୍ବର ୧୪୬୭୮ ଡାଏଲ୍ କରି ସୁଭଦ୍ରା ଯୋଜନା ବିଷୟରେ ଅଧିକ ବିବରଣୀ ପାଇପାରିବେ କିମ୍ବା ଯୋଜନା ସମ୍ପର୍କରେ ନିଜର ସନ୍ଦେହ ସ୍ପଷ୍ଟ କରିପାରିବେ।

ଉଲ୍ଲେଖଯୋଗ୍ୟ, ୨୧ ବର୍ଷରୁ ୬୦ ବର୍ଷ ବୟସ୍କ ଯୋଗ୍ୟ ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା। ଆସନ୍ତା ୫ ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଯୋଗାଇ ଦିଆଯିବ। ରାକ୍ଷୀ ପୂର୍ଣ୍ଣିମାରେ ପ୍ରଥମ କିସ୍ତି ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ୱିତୀୟ କିସ୍ତି ବଣ୍ଟନ କରାଯିବ।