ରାଜ୍ୟରେ ଖୋଲିବ ୨୫ ଅବକାରୀ ଥାନା

ରାଜ୍ୟର ୧୬ଟି ଜିଲ୍ଲାରେ ୨୫ଟି ଅବକାରୀ ଥାନା ଖୋଲିବ।

ଗଞ୍ଜାମ ଜିଲ୍ଲାକୁ ଅଧିକ ଫୋକସ୍

ଭୁବନେଶ୍ୱର, ୩୧/୮: ରାଜ୍ୟରେ ବେଆଇନ ଅପମିଶ୍ରିତ ମଦ ବିକ୍ରି ଓ କାରବାର ରୋକିବା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛି ଅବକାରୀ ବିଭାଗ। ରାଜ୍ୟରେ ବେଆଇନ ମଦ କାରବାର ଓ ବିକ୍ରୟକୁ ରୋକିବା ପାଇଁ ରାଜ୍ୟର ୧୬ଟି ଜିଲ୍ଲାରେ ୨୫ଟି ନୂଆ ଅବକାରୀ ଥାନା ଖୋଲାଯିବ।

କେବଳ ଗଞ୍ଜାମରେ ଖୋଲିବ ୬ଟି ଅବକାରୀ ଥାନା। ଗଞ୍ଜାମରେ ୩ ଓ ବ୍ରହ୍ମପୁରରେ ୩ଟି ଅବକାରୀ ଥାନା ଖୋଲାଯିବ। ସେହିପରି ବାଲେଶ୍ୱରରେ ୩ଟି, କଟକ, ମୟୂରଭଞ୍ଜ ଓ ନୟାଗଡ଼ରେ ୨ଟି ଲେଖାଏଁ ଅବକାରୀ ଥାନା ପ୍ରତିଷ୍ଠା କରାଯିବ। ଜଗତସିଂହପୁର ଭଦ୍ରକ, ଯାଜପୁର, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ରାଉରକେଲାରେ ଗୋଟିଏ ଲେଖାଏଁ ଅବକାରୀ ଥାନା ଖୋଲାଯିବ। ଏ ନେଇ ଯୁଗ୍ମ ଅବକାରୀ କମିଶନର ସୋମନାଥ ମାଝୀ ସମ୍ପୃକ୍ତ ୧୬ଟି ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି। ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ପାଇଁ ଅବକାରୀ ନିର୍ଦ୍ଦେଶାଳୟରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ତଥ୍ୟ ସହ ସବୁ ଅବକାରୀ ଅଧୀକ୍ଷକଙ୍କୁ ଯୋଗ ଦେବା ପାଇଁ ଚିଠିରେ କୁହାଯାଇଛି।