ରାତି ତମାମ ରେଡ୍ ପରେ ଗିରଫ ହେଲେ କନିଷ୍ଠ ଯନ୍ତ୍ରୀ

ଘରୁ ୨୫ ଭରି ସୁନା, ନଗଦ ୧୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର, ୦୧/୦୯: ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ରାତି ସାରା ଚଢାଉ ପରେ ଗିରଫ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଲାଞ୍ଚ ନେଇ ଧରା ପଡ଼ିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଆରମ୍ଭ କରିଥିଲା ଭିଜିଲାନ୍ସ। ମନରେଗା କାମ ବାବଦରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଶ୍ରୀ ଚୌଧୁରୀ। ଆଜି ଭୋର ୩ଟା ପର୍ଯ୍ୟନ୍ତ ଶ୍ରୀ ଚୌଧୁରୀଙ୍କ ଘରେ ଚଢ଼ାଉ ଚାଲିଥିଲା। ଚଢାଉ ସମୟରେ ତାଙ୍କ ଘରୁ ୨୫ ଭରି ସୁନା, ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ଏହି ସହ ତାଙ୍କ ପତ୍ନୀଙ୍କ ନାଁରେ ୪ଟି ଫ୍ଲାଟ ରହିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ରଣୀଗୁଡାରେ ୩ ମହଲା ଘର ଏବଂ ତିଗିରିଠାରେ ଗୋଟିଏ ଘର ରହିଛି। ସେହିପରି ଶ୍ରୀ ଚୌଧୁରୀଙ୍କ ଦୁଇଟି ବ୍ୟାଙ୍କ ଲକରକୁ ସିଜ୍ କରିଛି ଭିଜିଲାନ୍ସ। ଆସନ୍ତା କାଲି ଶ୍ରୀ ଚୌଧୁରୀଙ୍କୁ କୋର୍ଟ ଚାଲାଣ କରାଯିବ।