ରେଭେନ୍ସା ୟୁନିଭର୍ସିଟି ନାଁ ବଦଳିବା ପ୍ରସ୍ତାବ ଦେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ

ବିଜେଡିର କଡା ସମାଲୋଚନା

ଭୁବନେଶ୍ବର, ୦୧/୦୯: ରେଭେନ୍ସା ୟୁନିଭର୍ସିଟି ନାଁ ବଦଳିବା ପ୍ରସ୍ତାବ ଦେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ କାଲି କଟକ ଜିଲ୍ଲା ଗସ୍ତ କରି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରେଭେନ୍ସା ୟୁନିଭର୍ସିଟି ନାଁ ବଦଳିବା ଆବଶ୍ୟକ ବୋଲି କହିଥିଲେ। ଯେଉଁ ରେଭେନ୍ସାଙ୍କ ନାମରେ ଏହି ୟୁନିଭର୍ସିଟି ହୋଇଛି, ତାଙ୍କର ଭୂମିକା କ’ଣ ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ। ତେବେ ଏହାକୁ ନେଇ ଉପୁଜିଛି ବିବାଦ। କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ଦଳ। ବିଜେଡି ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି।

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରେଭେନ୍ସା କୌଣସି ସାଧାରଣ ଅନୁଷ୍ଠାନ ନୁହେଁ। ରେଭେନ୍ସା ୟୁନିଭର୍ସିଟି ଏକ ବ୍ରାଣ୍ଡ। ଏହି ବ୍ରାଣ୍ଡ ତିଆରି କରିବାକୁ ବହୁ ପରିଶ୍ରମ ଓ କଷ୍ଟ କରିବାକୁ ପଡ଼ିଛି। ଏଭଳି ବ୍ରାଣ୍ଡକୁ ନଷ୍ଟ କରିବାକୁ ସରକାର ଅପଚେଷ୍ଟା କରୁଛନ୍ତି। ରେଭେନ୍ସା ନଷ୍ଟ କରନ୍ତୁନି ସରକାର। ରେଭେନ୍ସା ହେଉଛି ଉଚ୍ଚଶିକ୍ଷା ପାଇଁ ଏକ ବଡ ଅନୁଷ୍ଠାନ। ଏଭଳି ପ୍ରସ୍ତାବ ଦେଇ ନିଜର ହୀନ ମାନସିକତାକୁ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ୟପଟେ ଦଳର ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ କଡା ସମାଲୋଚନା କରି କହିଛନ୍ତି ରେଭେନ୍ସା ହେଉଛି ଓଡିଶାର ଗର୍ବ ଓ ଗୌରବ। ଓଡ଼ିଆ ଅସ୍ମିତା ଆଳ ଦେଖାଇ କେନ୍ଦ୍ରମନ୍ତ୍ରୀ ନାଁ ପରିବର୍ତ୍ତନ କଥା କହିଛନ୍ତି। ସେ ସମୟରେ ରେଭେନ୍ସା ଶିକ୍ଷାନୁଷ୍ଠାନ ଦ୍ୱାରା ଶିକ୍ଷାର ପ୍ରଚାର ଓ ପ୍ରସାର ହୋଇ ପାରିଥିଲା। କେନ୍ଦ୍ରମନ୍ତ୍ରୀ ଭାବରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି କଥା ଚିନ୍ତା କରିବା ଉଚିତ। ରାଜନୀତି ଭିତରେ ରେଭେନ୍ସାକୁ ପୂରାନ୍ତୁ ନାହିଁ। ଏହି ବିବାଦ ପାଇଁ ଧର୍ମେନ୍ଦ୍ର କ୍ଷମା ମାଗିବା ଉଚିତ୍।