ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ

ଆୟଠୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

କଟକ, ୦୩/୦୯: କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ପଚରାଉଚରା ବେଳେ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇନଥିଲେ ଧରଣୀଧର ନାୟକ। ଗତ କାଲି ଧରଣୀଧରଙ୍କ ସହ ଜଡ଼ିତ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଇଥିଲା।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପଟିଆ ଭୁବନେଶ୍ଵରର ପଟିଆରେ ଥିବା ସୁରେଖା ଅର୍କିଡ ଶିଶୁ ବିହାରର ୨୦୫ ନମ୍ବର ଫ୍ଲାଟ୍; କେନ୍ଦୁଝରର ଜଗମୋହନପୁର, ତେଲକୋଇଠାରେ ଥିବା ୧୮ଟି ଦୋକାନ ବିଶିଷ୍ଟ ଏକ ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସ; କେନ୍ଦୁଝରର ଜଗମୋହନପୁର, ତେଲକୋଇ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ନିର୍ମାଣାଧୀନ ଦୁଇ ମହଲା କୋଠା; କେନ୍ଦୁଝର ଜଗମୋହନପୁର ତେଲକୋଇଠାରେ ଏକ ମହଲା କୋଠା; କେନ୍ଦୁଝରର ତେଲକୋଇ ଅନ୍ତର୍ଗତ ଛାମୁଣ୍ଡାରେ ଥିବା ପୈତୃକ ଘର; ଅନୁଗୁଳ ଜିଲ୍ଲା ତାଳଚେରରେ ଅସ୍ଥାୟୀ ବାସଭବନ; ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ; ତାଙ୍କ ସମ୍ପର୍କୀୟଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ପୁରୁମୁଣ୍ଡା ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢାଉ କରାଯାଇଥିଲା। ସେହିପରି ତାଙ୍କର ୧୧ଟି ପ୍ଲଟ ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ବ୍ୟାଙ୍କରେ ୫୩ ଲକ୍ଷ ୫୩ ହଜାର ଟଙ୍କା ଜମା, ୫୪ ଲକ୍ଷ ୭୦ ହଜାର ଟଙ୍କାର ଘରୋଇ ସାମଗ୍ରୀ ଓ ନଗଦ ୯ ଲକ୍ଷ ୮୫ ହଜାର ଟଙ୍କା ଠାବ କରାଯାଇଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।