ଗୁରୁ ଦିବସରେ ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୪’ ପ୍ରଦାନ କଲେ ମାନ୍ୟବର ରାଷ୍ଟ୍ରପତି

ଦେଶର ଶ୍ରେଷ୍ଠ ୫୦ ଜଣ ଶିକ୍ଷକ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ହେଲେ ସମ୍ମାନିତ

ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣକାରୀ ଶିକ୍ଷକମାନଙ୍କୁ ଶ୍ରେଷ୍ଠ ସମ୍ମାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୫/୦୯: ପବିତ୍ର ‘ଗୁରୁ ଦିବସ’ରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ଭାରତବର୍ଷର ୫୦ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୪’ ପ୍ରଦାନ କରିଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପ୍ରତିଭାବାନ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ମାର୍ଗଦର୍ଶନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁରୁ ଦିବସର ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଜାତୀୟ ଶିକ୍ଷକ ପୁରସ୍କାର ତ୍ୟାଗ, ତପସ୍ୟା ଏବଂ ଅଦ୍ୱିତୀୟ ଯୋଗଦାନର ଅନନ୍ୟ ଉତ୍ସବ । ମାନ୍ୟବର ରାଷ୍ଟ୍ରପତି ଗୁରୁ ଦିବସରେ ସୁଦୃଢ ସମାଜ ଏବଂ ସଶକ୍ତ ରାଷ୍ଟ୍ରର ଆଧାରଶିଳା ରଖୁଥିବା ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରର ଗଠନ ତଥା ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକମାନଙ୍କୁ ଏହା ଉପଯୁକ୍ତ ସମ୍ମାନ । ଏହି ସମ୍ମାନ ଜୀବନକୁ ସମୃଦ୍ଧ କରିବା ଏବଂ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଅତୁଟ ସମର୍ପଣର ସ୍ୱୀକୃତି । ଜାତୀୟ ଶିକ୍ଷା ନୀତିର ଭାବନାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ସମଗ୍ର ଭାରତରେ ଦକ୍ଷତା ପ୍ରଶିକ୍ଷଣ ଏବଂ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଆମର ଶିକ୍ଷକ ଏବଂ ସେମାନଙ୍କର ଅତୁଳନୀୟ ଅବଦାନକୁ ପାଳନ କରିବା ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି ।

ଓଡ଼ିଶା ସମେତ ଦେଶର ୫୦ ଜଣ ପ୍ରତିଭାବାନ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଡ. ଦ୍ୱିତୀ ଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କର ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।