କେନ୍ଦୁଝର ଜେଲ୍ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର, ୦୬/୦୯: ଝାରପଡ଼ା ସ୍ୱତନ୍ତ୍ର କାରାଗାରର ପୂର୍ବତନ ଅଧୀକ୍ଷକ ତଥା କେନ୍ଦୁଝର ଜିଲ୍ଲା କାରାଗାରର ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଆଜି ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ନିଜ ବାସଭବନ ଓ ସମ୍ପର୍କୀୟଙ୍କ ଘର, ଖଣ୍ଡଗିରି ସିଦ୍ଧିବିହାର ଥିବା ଘର, ଭଦ୍ରକ ଧୁସୁରୀର ନରସିଂହପୁରର ଥିବା ପୈତୃକ ଘର, କେନ୍ଦୁଝର ଜେଲ୍ ପରିସର ଭିତରେ ଥିବା ଅଧୀକ୍ଷକଙ୍କ ସରକାରୀ କ୍ବାର୍ଟର୍ସ, କେନ୍ଦୁଝରରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।

କେନ୍ଦୁଝରର ଭିଜିଲାନ୍ସ ସହାୟତାରେ ଭୁବନେଶ୍ବର ଭିଜିଲାନ୍ସର ଏକ ଟିମ ଚଢାଉ କରିଛି। ଏହି ଚଢାଉରେ ୧୨ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।