ପଦ୍ମ ଧରିଲେ ସୁଜିତ

ବିଜେଡି ବିରୋଧରେ ଓଗାଳିଲେ ବିଷ, ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ, ୦୬/୦୯: ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆଜି ପଦ୍ମ ଧରିଛନ୍ତି ପୂର୍ବତନ ସାଂସଦ ଶ୍ରୀ ସୁଜିତ କୁମାର। ଆଜି ବିଜେଡିରୁ ବହିଷ୍କୃତ ହେବା ପରେ ବିଧିବଦ୍ଧ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାର ବିକାଶ ନିମନ୍ତେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ସୁଦ୍ଧା ବିକଶିତ ଦେଶ ଓ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପ୍ରଭାବିତ କରିଥିଲା ଯେଉଁଥିପାଇଁ ସେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସୁଜିତ କହିଛନ୍ତି।

ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡ଼ି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁଜିତ। ସେ କହିଛନ୍ତି, କଳାହାଣ୍ଡିରେ ହୋଇଥିବା ବହୁ ଦୁର୍ନୀତିରେ ସାମିଲ ଅଛନ୍ତି ବିଜେଡି ନେତା। ଜିଲ୍ଲାରୁ ହଜାର କୋଟି ଟଙ୍କାର ଖଣି ଲୁଟ କରିଛନ୍ତି ବିଜେଡି ନେତା। ଆଦିବାସୀଙ୍କ ଜମି ହଡପ କରିଛନ୍ତି। ବାଲି ମାଫିଆଙ୍କ ସହ ମିଶି ସରକାରଙ୍କ ରାଜକୋଷକୁ ଲୁଣ୍ଠନ କରିଛନ୍ତି। ଏହା ବିରୋଧରେ ମୁଁ ବାରମ୍ବାର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ମୋ କଥା କେହି ଶୁଣି ନଥିଲେ। ବିଜେଡି ଶାସନରେ ଥିବା ବେଳେ କଳାହାଣ୍ଡିର ଯେଉଁଭଳି ବିକାଶ ହେବା କଥା ସେମିତି ହୋଇପାରିନି ବୋଲି ଅଭିଯୋଗ କରିଛନ୍ତି ସୁଜିତ।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସେ ପୂର୍ବରୁ ରାଜ୍ୟସଭା ସଦସ୍ୟ ପଦ ଏବଂ ବିଜେଡି ଛାଡି ମମତା ମହନ୍ତ ବିଜେପିରେ ମିଶିଥିଲେ। ସେହିପରି ସୁଜିତ କୁମାର ମଧ୍ୟ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ବିଜେଡି ଛାଡି ବିଜେପିରେ ମିଶି ପାରନ୍ତି ବୋଲି ଅନୁମାନ କରାଯାଉଥିଲା। ସୁଜିତ କୁମାର ଜୁନାଗଡ଼-ନବରଙ୍ଗପୁର ରେଳଲାଇନ୍ ଏବଂ ଓଡ଼ିଶା ପାଇଁ ଅନ୍ୟ ପାଞ୍ଚଟି ନୂଆ ରେଳଲାଇନ ପ୍ରକଳ୍ପ ଅନୁମୋଦନ ପାଇଁ କେନ୍ଦ୍ର କ୍ୟାବିନେଟ୍ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିବା ଘଟଣା ରାଜନୈତିକ ମହଲରେ ସେତେବେଳେ ହଇଚଇ ସୃଷ୍ଟି କରିଥିଲା। ତେବେ ଆଜି ବିଜେପିରେ ମିଶିବା ପରେ ଚର୍ଚ୍ଚା ସତରେ ପରିଣତ ହୋଇଛି। ବିଜେଡିରୁ ୨୦୨୦ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ହେଲେ, କାର୍ଯ୍ୟକାଳ ପୂରିବାର ୧ ବର୍ଷ ୭ ମାସ ପୂର୍ବରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ।