ଉଜ୍ଜୈନରେ ଲଜ୍ଜା: ଦ୍ୱିପହରେ ରାସ୍ତାରେ ମହିଳାଙ୍କୁ ଦୁଷ୍କର୍ମ

ଅନଲାଇନରେ ଭିଡିଓ ଭାଇରାଲ

ମଧ୍ୟପ୍ରଦେଶ, ୦୬/୦୯: ଗତ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ଲିଭିନଥିବା ବେଳେ ପ୍ରତ୍ୟେକ ଦିନ ଏହିଭଳି ଖବର ଶୁଣିବାକୁ ମିଳୁଛି। ଆଜି ପର୍ଯ୍ୟନ୍ତ ବି ପୀଡିତାଙ୍କୁ ମିଳିପାରିନି ନ୍ୟାୟ। ତେବେ ଆଜି ଆଉ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ଉଜ୍ଜୈନରୁ। ମଧ୍ୟପ୍ରଦେଶର ଉଜ୍ଜୈନରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏହି ଘଟଣା ଗତ ବୁଧବାର ଘଟିଥିଲେ ମଧ୍ୟ ଆଜି ସାମନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୪ ତାରିଖ ବୁଧବାର ଅପରାହ୍ନ ସମୟରେ ଉଜ୍ଜୈନର ଏକ ବ୍ୟସ୍ତବହୁଳ ରାସ୍ତାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଆଉ ଏହାର ପ୍ରତିବାଦ କରିବା ବଦଳରେ ଏହି ଦୃଶ୍ୟର ମଜା ଉଠାଇଥିଲେ ରାସ୍ତାରେ ଯାଉଥିବା ପଥଚାରୀ। ଏହି ଘଟଣାରେ ହସ୍ତକ୍ଷେପ ନକରି ପ୍ରତ୍ୟକ୍ଷଦର୍ଶୀମାନେ ନିଜ ଫୋନରେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଖୁବ୍ ଶୀଘ୍ର ଭାଇରାଲ ହୋଇଥିଲା। ଏହି ଘଟଣାରେ ଲୋକେଶ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପୁଲିସ କହିବା ମୁତାବକ, ପୀଡ଼ିତା ଜଣକ ସ୍ଥାନୀୟ ଅଞ୍ଚଳରେ ହିଁ ଲୋକେଶଙ୍କ ସହ ପରିଚିତ ହୋଇଥିଲେ। ସେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସାଙ୍ଗରେ ଯିବାକୁ ରାଜି କରାଇଥିଲେ। କିନ୍ତୁ ସାଙ୍ଗରେ ଯିବା ପରେ ସେ ମହିଳାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ମଦ୍ୟପାନ ପରେ ନିଶାଗ୍ରସ୍ତ ଥିବା ବେଳେ ତାଙ୍କୁ ରାସ୍ତା କଡ଼ରେ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ସେହି ସମୟରେ ରାସ୍ତାରେ ଯାଉଥିବା ପଥଚାରୀମାନେ ଏହି ଘଟଣାର ପ୍ରତିବାଦ କରିବା ପରିବର୍ତ୍ତେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଏହା ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଧମକ ଚମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଉକ୍ତ ପୀଡିତା ଜଣକ ଥାନାରେ ଅଭିଯୋଗ କରିବା ପରେ ଦୁଇ ଘଣ୍ଟା ଭିତରେ ହିଁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।

ତେବେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି। ବିରୋଧୀ କଂଗ୍ରେସ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଶାସକ ବିଜେପିକୁ ଦାୟୀ କରିଛି। ମଧ୍ୟପ୍ରଦେଶ କଂଗ୍ରେସ ଏକ୍ସରେ ଏହି ଘଟଣାକୁ ନିନ୍ଦା କରି କହିଛି, ପବିତ୍ର ସହର ଉଜ୍ଜୈନ ପୁଣି ଥରେ ଲଜ୍ଜିତ ହୋଇଛି। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ଇସ୍ତଫା ଦେବା ଉଚିତ୍।

ମଧ୍ୟପ୍ରଦେଶ ରାଜ୍ୟ କଂଗ୍ରେସ ସଭାପତି ଜିତୁ ପଟୱାରୀ ଏକ୍ସ ପୋଷ୍ଟରେ କହିଛନ୍ତି, ପୁଣି ଥରେ ପବିତ୍ର ଉଜ୍ଜୈନ ସହରକୁ କଳଙ୍କିତ କରାଯାଇଛି। ମଧ୍ୟପ୍ରଦେଶରେ ଏବେ ଖୋଲା ରାସ୍ତାରେ ଦୁଷ୍କର୍ମ ଘଟୁଛି। ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିବାରୁ ଏହା ଘଟିଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ସହରରେ ଏଭଳି ସ୍ଥିତି ହୁଏ, ତା’ହେଲେ ରାଜ୍ୟର ବାକି ସ୍ଥାନର ଅବସ୍ଥା କ’ଣ ହେବ ତାହା କଳ୍ପନା କରାଯାଇପାରିବ ବୋଲି ଶ୍ରୀ ପଟୱାରୀ କହିଛନ୍ତି।