କମେଣ୍ଟ ମରାକୁ ନେଇ ସ୍କୁଲ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଦାଦାଗିରି

ନୂଆପଡ଼ା, ୦୬/୦୯: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଗ୍ରାମପଞ୍ଚାୟତ ସ୍ଥିତ ସ୍ଥାନୀୟ ଜବାହର ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ କମେଣ୍ଟ ମାରିଥିବାକୁ ନେଇ ମାରପିଟ ହୋଇଥିବା ଜଣା ପଡିଛି। ସୂଚନା ମୁତାବକ ଦଶମ ଶ୍ରେଣୀର କୌଣସି ଏକ ଛାତ୍ର ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦ୍ୱାଦଶ ଶ୍ରେଣୀର ସାତ ଜଣ ଛାତ୍ର ଦଶମ ଶ୍ରେଣୀର ସତେଇସ ଜଣ ପିଲାମାନଙ୍କୁ ନିର୍ଧୁମ ବେତରେ ପ୍ରହାର କରିଥିବା ଦେଖିବାକୁ ମିଳିଛି। ଦେବବ୍ରତ ନିଆଲର ନାକରେ ଖୁବ ଜୋର ପ୍ରହାର ହୋଇଥିବା ଯୋଗୁଁ ଗୁରୁତର ହୋଇଛି। ସମସ୍ତ ଛାତ୍ରମାନଙ୍କ ମୁହଁ, ଛାତି, ଜଙ୍ଘ, ହାତରେ ବେତ ପ୍ରହାର ହୋଇଥିବା ଜଣା ପଡିଛି। ଏହି ଖବର ଶୁଣି ଅଭିଭାବକମାନେ ପହଞ୍ଚି ମାଡ଼ ମାରିଥିବା ଛାତ୍ରମାନଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ସେଥିପାଇଁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନ୍ୟାୟ ପାଇବା ପାଇଁ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଅନଶନ କରିଥିଲେ। ସେଥିପାଇଁ ପ୍ରିନ୍ସିପାଲ ଓ ସମସ୍ତ ବିଦ୍ୟାଳୟ ଷ୍ଟାଫଙ୍କ ଦାୟିତ୍ୱ ରହିବା ଦରକାର। କାହିଁକି ଛାତ୍ର ଛାତ୍ରୀମାନେ କଳହ କଲେ ସେ ବିଷୟରେ ସମୀକ୍ଷା କରିବା ଦରକାର। ଆଗାମୀ ଦିନରେ ବିଦ୍ୟାଳୟରେ କିପରି ଶୃଙ୍ଖଳା ରହିବ ସେ ବିଷୟରେ ଧ୍ୟାନ ଦେବା ପାଇଁ ଅଭିଭାବକବୃନ୍ଦ ପ୍ରକାଶ କରିଛନ୍ତି। ପରିଶେଷରେ ଏହି ଖବର ଶୁଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଶ୍ରୀଯୁକ୍ତ ହିତାଂଶୁ ଶେଖର ସାମଲ ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଯୋଗେନ୍ଦ୍ର ମାଝୀ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ମାଡ଼ ମାରିଥିବା ଛାତ୍ରମାନଙ୍କ ଓ ଦୁଇଟି ଛାତ୍ରୀଙ୍କର ଟିସି ଦେବାପାଇଁ ସ୍ଥିର ହେଲାପରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନଶନରୁ ଓହରି ଥିଲେ।