କଂଗ୍ରେସରେ ମିଶିଲେ ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ

ଆଜି ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ ଦଳରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଛନ୍ତି।

ସଡକରୁ ସଂସଦ ଯାଏଁ ଲଢିବାକୁ ପ୍ରସ୍ତୁତ: ଭିନେଶ

ନୂଆଦିଲ୍ଲୀ, ୦୬/୦୯: ଆସନ୍ତା ଅକ୍ଟୋବର ୫ରେ ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ। ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ। ଶୁକ୍ରବାର ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନ ଏବଂ ଏଆଇସିସି ହରିୟାଣା ପ୍ରଭାରୀ ଦୀପକ ବାବରିଆଙ୍କ ଉପସ୍ଥିତିରେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।

ଏହି ଅବସରରେ କଂଗ୍ରେସରେ ଯୋଗ ଦେବା ପରେ ଭିନେଶ ଫୋଗାଟ କହିଛନ୍ତି, କଂଗ୍ରେସରେ ଯୋଗ ଦେଇଥିବାରୁ ଦଳକୁ ଧନ୍ୟବାଦ ଜଣାଉଛି। ଖରାପ ସମୟରେ କିଏ ନିଜର ଓ କିଏ ପର ଜଣା ପଡିଥାଏ। ଯେତେବେଳେ ଆମକୁ ରାସ୍ତାକୁ ଟାଣି ନିଆଯାଉଥିଲା, ସେତେବେଳେ ବିଜେପି ବ୍ୟତୀତ ଅନ୍ୟ ସବୁ ଦଳ ଆମ ସମର୍ଥନରେ ଥିଲେ। ଯେଉଁ ଦଳ ମହିଳାଙ୍କୁ ସମ୍ମାନ ଦେଉଛି, ସେହି ଦଳରେ ଯୋଗ ଦେଇ ମୁଁ ଗର୍ବ ଅନୁଭବ କରୁଛି। ଏଥର ‘ସଡ଼କରୁ ସଂସଦ’ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ ଅଛି ।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଭିନେଶ ଓ ବଜରଙ୍ଗଙ୍କ ଫଟୋ କଂଗ୍ରେସ ନିଜ ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଉଭୟ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ଆଜି ଭାରତୀୟ ରେଳବାଇରୁ ଇସ୍ତଫା ଦେଇଥିଲେ ଭିନେଶ। ଏହା ପରେ ଉଭୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ।

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ମହିଳା କୁସ୍ତିଯୋଦ୍ଧା ଭାବେ ପଦାର୍ପଣ କରିଥିଲେ। ଯଦିଓ ଓଜନ ବୃଦ୍ଧି ଯୋଗୁଁ ଫାଇନାଲରେ ଖେଳି ପାରିନଥିଲେ। ଏହାପରେ ସେ କୁସ୍ତିରୁ ଅବସର ନେଇଥିଲେ। ତେବେ ୨୦୨୩ରେ ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଭିନେଶ ଓ ବଜରଙ୍ଗ।