ବିଜେପିକୁ ନବୀନଙ୍କ କଟାକ୍ଷ: ମିଛ କହି ନିର୍ବାଚନ ଜିତି ହେବ, ଲୋକଙ୍କ ହୃଦୟ ନୁହେଁ

ବିଜୁ ଯୁବ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଜେଡ଼ି କୌଣସି ବ୍ୟକ୍ତିବିଶେଷଙ୍କ ଉପରେ ନିର୍ଭରଶୀଳ ନୁହେଁ: ନବୀନ

ଭୁବନେଶ୍ୱର, ୧୧/୦୯: ଆମର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା। ରାଜନୀତି କେବଳ କ୍ଷମତା ପାଇଁ ନୁହେଁ। ମୁଁ ରାଜନୀତିକୁ ଲୋକଙ୍କ ସେବା କରିବା, ମାତୃଭୂମିର ସେବା କରିବା ଏବଂ ମାନବିକତାର ସେବା କରିବାର ମାଧ୍ୟମ ଭାବରେ ଦେଖେ ବୋଲି ଶଙ୍ଖ ଭବନରେ ଆୟୋଜିତ ବିଜୁ ଯୁବ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକରେ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ନବୀନ କହିଛନ୍ତି, ଗତ ନିର୍ବାଚନରେ ବିଜେଡି ୪୧.୨% ଭୋଟ ପାଇଥିଲା। ନିରପେକ୍ଷ ଭୋଟ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଆମେ ଅନ୍ୟମାନଙ୍କଠାରୁ ଆଗରେ ଅଛୁ। ଓଡ଼ିଶାବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା। ଆମ ଯୁବ ବନ୍ଧୁମାନଙ୍କ ସମ୍ଭାବନା ଉପରେ ମୋର ପୂରା ବିଶ୍ୱାସ ଅଛି। ଆମର ଯୁବ ସଙ୍ଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ। ଆମର ସଦସ୍ୟତା ଅଭିଯାନ ଦ୍ୱାରା ଅଧିକରୁ ଅଧିକ ସଦସ୍ୟ ସାମିଲ କରାଯିବା ଉପରେ ଧ୍ୟାନ ଦିଅନ୍ତୁ।

ବିଜେଡି ସରକାର ସମୟରେ ଯୁବ ସଶକ୍ତୀକରଣ ଉପରେ ଆମେ ବିଶେଷ ଧ୍ୟାନ ଦେଇ କାମ କରୁଥିଲୁ। ଶିକ୍ଷିତ ସମାଜ ଗଠନ କରି ଯୁବକଙ୍କୁ ବିଶ୍ୱରେ ପରିଚିତ କରାଇବା ଆମର ଉଦ୍ଦେଶ୍ୟ। କ୍ରୀଡ଼ା କ୍ଷେତ୍ରରେ ଓଡିଶା ଆଜି ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଛି। ବିଜ୍ଞାନ ଜ୍ଞାନକୌଶଳ କ୍ଷେତ୍ରରେ ମଧ୍ୟ ଆମ ଯୁବକମାନେ ସୁନାମ କରୁଛନ୍ତି। ଏ ଧାରାକୁ ଜାରି ରଖାଯିବା ଦରକାର।

କିଛି ଲୋକ ଏବେ ନିଜ ଚିନ୍ତାଧାରାକୁ ଅନ୍ୟମାନଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି ଯାହା ଗଣତାନ୍ତ୍ରିକ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଏପରିକି କିଛି ଲୋକ ଆମର ମହାପୁରୁଷଙ୍କୁ ଅପମାନିତ କରିଛନ୍ତି। ଏହା କ’ଣ ଓଡ଼ିଆ ଅସ୍ମିତା? ଏହା କ’ଣ ମହାପୁରୁଷଙ୍କ ବଳିଦାନ ପ୍ରତି ସମ୍ମାନ କି? ଏଭଳି ନେତାମାନେ ଆମ ଭବିଷ୍ୟତ ପିଢ଼ି ପାଇଁ କ’ଣ ଛାଡିଯିବେ ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ବଡ ପାଟିରେ କହିଲେ ମିଛ ସତ ହୁଏ ନାହିଁ। ତିନି ମାସ ହୋଇଗଲା ଏବେ ଆଇ ମା’ ଗପ ଛାଡି ସରକାର କାମ କରି ଦେଖାନ୍ତୁ। ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ଭତ୍ତା ସବୁଥିରେ ଡବଲ ଷ୍ଟାଣ୍ଡାର୍ଡ ଓ ସବୁଥିରେ ମିଛ କହିଛି ବିଜେପି। ମିଛ କହି ନିର୍ବାଚନ ଜିତି ପାର, କିନ୍ତୁ ଲୋକଙ୍କ ହୃଦୟ ନୁହେଁ। ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ମୁଖ୍ୟ ବୋଲି ନବୀନ କହିଛନ୍ତି।

ବିକଶିତ ଓ ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ବିଜୁବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ଯେପର୍ଯ୍ୟନ୍ତ ଆମେ ବିଜୁ ବାବୁଙ୍କ ଦୃଷ୍ଟିରେ କାମ କରିବୁ, ବିଜେଡି ଶକ୍ତିଶାଳୀ ହୋଇ ଲୋକଙ୍କ ହୃଦୟରେ ବଞ୍ଚିବ। ବିଜେଡି କୌଣସି ବ୍ୟକ୍ତିବିଶେଷଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏହା ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଉପରେ ଆଧାରିତ। ସୁବିଧାବାଦୀ ନେତାମାନେ ବିଜେଡି ଛାଡିବା ଦଳକୁ ଆହୁରି ଶକ୍ତିଶାଳୀ କରାଉଛି। ଯୁବକମାନେ ଏହି ସ୍ୱପ୍ନ ସହ ବଞ୍ଚିବା ଉଚିତ ଏବଂ ଏହାକୁ ହାସଲ କରିବା ପାଇଁ ସବୁ କିଛି କରିବା ଉଚିତ୍।

ସୋସିଆଲ ମିଡିଆ ଏବେ ସମାଜ ଉପରେ ବିଶେଷ କରି ଯୁବବର୍ଗଙ୍କ ଉପରେ ବହୁତ ପ୍ରଭାବ ପକାଇଛି। ତେଣୁ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତୁ ଏବଂ ଭ୍ରମିତ ଓ ମିଛ ଖବର ବିରୋଧରେ ଦୃଢ଼ତାର ସହ ଲଢ଼େଇ କରନ୍ତୁ। ଏହାବ୍ୟତୀତ ରକ୍ତଦାନ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ ବୋଲି ନବୀନ କହିଛନ୍ତି।