ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ଓ କିନଡ୍ରିଲର ସିଇଓଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଶ୍ୱମାନର ଶିକ୍ଷା ଦେବା ଆମର ପ୍ରତିବଦ୍ଧତା: ଧର୍ମେନ୍ଦ୍ର ପ୍ରଧାନ
ସେମିକଣ୍ଡକ୍ଟରରେ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଭାଗିଦାରୀତା ଉପରେ ଫଳପ୍ରଦ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୧/୦୯: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୃଥକ ଭାବେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ଡ. ମୁଙ୍ଗ ଚିଆଙ୍ଗ, ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନଡ୍ରିଲର ସିଇଓ ମାର୍ଟିନ ସ୍କୋରିଟର ଏବଂ ଦକ୍ଷତା, ଉଦ୍ୟମିତା ଓ ଗବେଷଣା ଉପରେ କାମ କରୁଥିବା ୱାଧୱାନୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ. ରମେଶ ୱାଧୱାନୀଙ୍କୁ ଭେଟି ଶିକ୍ଷା ଓ ଦକ୍ଷତା ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ବୈଠକ କାଳରେ କେନ୍ଦ୍ରମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀ ସହ ଉକ୍ତ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କକୁ ଆଗକୁ ବଢାଇବା ତଥା ଭାରତ ଓ ଆମେରିକା ମଧ୍ୟରେ ଶିକ୍ଷା ସମ୍ପର୍କକୁ ମଜଭୂତ୍ କରିବା ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି। ଜାତୀୟ ଶିକ୍ଷା ନୀତି ଭାରତ ଓ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସହଯୋଗ ଓ ସମନ୍ୱୟ ସ୍ଥାପନ ପାଇଁ ନୂଆ ମାର୍ଗ ପ୍ରଶସ୍ତ କରିଛି। ଭାରତର ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ ସହ ଏକାଡେମିକ ସହଯୋଗ ସ୍ଥାପନ, ଟ୍ୱିନିଂ, ଜଏଣ୍ଟ ଏବଂ ଡୁଆଲ୍ ଡିଗ୍ରୀ କାର୍ଯ୍ୟକ୍ରମର ବିକାଶ ସହିତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଲମ୍ବା ଅବଧି ପାଇଁ ଇଣ୍ଟର୍ନସିପର ସୁଯୋଗ ସୃଷ୍ଟି କରି ସେମିକଣ୍ଡକ୍ଟରରେ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧିର ସମ୍ଭାବନା ଉପରେ ଆଲୋଚନା ହୋଇଛି।
ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନଡ୍ରିଲର ସିଇଓଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳର ସମସ୍ତ ଦିଗ, ବିଶେଷ କରି ଏକବିଂଶ ଶତାବ୍ଦୀର ଶିକ୍ଷା ଉପରେ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଭୂମିକା ଉପରେ ଫଳପ୍ରଦ ଆଲୋଚନା ହୋଇଛି। କିନଡ୍ରିଲ କମ୍ପାନୀ ଶିକ୍ଷାକୁ ବିଦ୍ୟାର୍ଥୀ କେନ୍ଦ୍ରୀତ କରିବା, ଶିକ୍ଷାକୁ ସର୍ବବ୍ୟାପୀ କରିବା, ଛାତ୍ରଛାତ୍ରୀଙ୍କୁ ଲାଭ ଦେବା ସହ ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।
ଏହାବ୍ୟତିତ ଡ.ରମେଶ ୱାଧୱାନୀଙ୍କ ସହ ଅନୁଷ୍ଠିତ ପୃଥକ ବୈଠକରେ କେନ୍ଦ୍ରମନ୍ତ୍ରୀ ଦକ୍ଷତା, ଉଦ୍ୟମିତା, ଗବେଷଣା, ଉଦ୍ଭାବନ ଏବଂ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ୱାଧୱାନୀ ଫାଉଣ୍ଡେସନର ସଫଳତା ଉପରେ ଅବଗତ ହୋଇ ଖୁସିପ୍ରକାଶ କରିଥିଲେ। ଉଭୟ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଉଦ୍ୟମିତା, ଇନୋଭେସନ ଏବଂ ଷ୍ଟାର୍ଟ-ଅପକୁ ବଢ଼ାଇବାର ଆହ୍ୱାନର ମୁକାବିଲା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ପ୍ଲାଟଫର୍ମର ଉପଯୋଗ ପାଇଁ ୱାଧୱାନୀ ଫାଉଣ୍ଡେସନର ଦକ୍ଷତାକୁ ଉପଯୋଗ କରିବା ଉପରେ ଚର୍ଚ୍ଚା କରିଥିଲେ। ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।