୩ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ସରକାରୀ ଚାକିରିରେ ୧୦% ସଂରକ୍ଷଣ ଦେବା ପାଇଁ ମଞ୍ଜୁରୀ ମିଳିଛି।

ବାପା, ମା’ଙ୍କ ମୃତ୍ୟୁ ପରେ ଝିଅଙ୍କୁ ମିଳିବ ଚାକିରି

ଭୁବନେଶ୍ୱର, ୧୨/୦୯: ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ୍ ବୈଠକ। ଏହି ବୈଠକରେ ତିନି ଗୋଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ।

ଗୋପାଳପୁର ଅଂଶଧନ ପୁନଃଗଠନକୁ ଅନୁମୋଦନ ମିଳିଛି। ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍, ଶାପୁରଜୀ ପାଲୋନଜୀ ବନ୍ଦର ରକ୍ଷଣାବେକ୍ଷଣ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଓଡ଼ିଶା ଷ୍ଟିବିଡୋର୍ସ୍ ଲିମିଟେଡ, ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ମଧ୍ୟରେ ୬୦ ଦିନ ଭିତରେ ସଂଶୋଧିତ ରିହାତି ଚୁକ୍ତି ସ୍ୱାକ୍ଷରିତ କରିବାକୁ ଗୁରୁବାର ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଦ୍ୱାରା ଆଦାନୀ ପାଖରେ ୯୫ ପ୍ରତିଶତ ଅଂଶଧନ ରହିବ ଏବଂ ୫ ପ୍ରତିଶତ ଅଂଶଧନ ଷ୍ଟିବିଡୋର୍ସ୍ ପାଖରେ ରହିବ।

ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ର ସଂଶୋଧନ କରାଯାଇଛି। ନିୟମାବଳୀ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ଅବିବାହିତ ଝିଅ ଓ ଅବିବାହିତ ସାବତ ଝିଅମାନଙ୍କୁ ନିଯୁକ୍ତି ପାଇଁ ବିଚାର କରାଯାଉଛି।

ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର (ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମ, ୨୦୨୪ ପ୍ରଣୟନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପୂର୍ବତନ ଅଗ୍ନିବୀରଙ୍କୁ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ବିଭାଗ ଭଳି ସରକାରୀ ଚାକିରିରେ ନିଯୁକ୍ତି ମିଳିବ। ସିଧାସଳଖ ନିଯୁକ୍ତିରେ ସମସ୍ତ ଗ୍ରୁପ୍ ‘ସି’ ଓ ‘ଡି’ ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।