ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ

ଗତ କାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ସହ ଜଡିତ ୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ପାଖରୁ ମିଳିଲା ଲକ୍ଷାଧିକ ଟଙ୍କା, ସୁନା ଓ ପ୍ଲଟ

ଭୁବନେଶ୍ବର, ୧୨/୦୯: ଗତ କାଲିର ଭିଜିଲାନ୍ସ ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କୋଟିପତି ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି।

ପ୍ରସନ୍ନ ସ୍ୱାଇଁଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିବା ପରେ ତାଙ୍କ ନିକଟରୁ ୬ଟି ବହୁତଳ କୋଠା। ଏଥିମଧ୍ୟରୁ ବ୍ରହ୍ମପୁରର ତୁଳସୀନଗରରେ ଥିବା ୨ କୋଟି ୪୦ ଲକ୍ଷ ମୂଲ୍ୟର ଚାରି ମହଲା କୋଠା ଓ ବ୍ରହ୍ମପୁରର ବାଗଦେବୀରେ ୨ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ଆଉ ଏକ ଚାରି ମହଲା କୋଠା ଠାବ କରାଯାଇଛି। ସେହିପରି ୫ଟି ଉଚ୍ଚ ମୂଲ୍ୟର ବାସଗୃହ ପ୍ଲଟ୍, ୨୩ ଲକ୍ଷ ୯୪ ହଜାର ଟଙ୍କାରୁ ଅଧିକ ବ୍ୟାଙ୍କ ଜମା ଏବଂ ପ୍ରାୟ ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି।

ଗତ କାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ତାଙ୍କ ସହ ଜଡିତ ୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତେବେ ପଚରାଉଚରା ବେଳେ ଉକ୍ତ ସହକାରୀ ଯନ୍ତ୍ରୀ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି।