ଆଖି ବୁଜିଲେ ସୀତାରାମ ୟେଚୁରୀ

ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପରଲୋକ ଘଟିଛି।

ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ନୂଆଦିଲ୍ଲୀ, ୧୨/୦୯: ବିଶିଷ୍ଟ ରାଜନୀତିଜ୍ଞ ତଥା ସିପିଆଇ(ଏମ୍)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଯାଇଛି। ୭୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ନୂଆଦିଲ୍ଲୀସ୍ଥିତ ଏମସରେ ସେ ଚିକିତ୍ସାରତ ଥିଲେ।

ଦୀର୍ଘ ଦିନ ଧରି ଫୁସଫୁସଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ଅଗଷ୍ଟ ୧୯ ତାରିଖରେ ସ୍ୱାସ୍ଥ୍ୟ ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏବଂ ଆଇସିୟୁରେ ଏକ ମଲ୍ଟି-ଡିସିପ୍ଲିନାରୀ ଟିମର ତତ୍ତ୍ୱାବଧାନରେ ରଖାଯାଇଥିଲା। ଗତ ତିନି ଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡି ଯାଇଥିବା ସିପିଆଇ(ଏମ୍) ପକ୍ଷରୁ ବିବୃତ୍ତି ଜାରି କରାଯାଇ ସୂଚନା ଦିଆ ଯାଇଥିଲା।

ଉଲ୍ଲେଖଯୋଗ୍ୟ, ସୀତାରାମ ୟେଚୁରୀ ସାରା ଦେଶରେ ଜଣେ ଲୋକପ୍ରିୟ ନେତା ଥିଲେ। ୨୦୧୫ରୁ ସିପିଆଇ(ଏମ୍)ର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇ ଆସୁଥିଲେ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପାଠ ପଢୁଥିବା ସମୟରେ ସେ ଛାତ୍ର ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଜରୁରୀକାଳୀନ ପରିସ୍ଥିତି (୧୯୭୫-୭୭) ସମୟରେ ତାଙ୍କର ରାଜନୈତିକ ସକ୍ରିୟତା ନାଗରିକ ସ୍ୱାଧୀନତା ଏବଂ ବାମପନ୍ଥୀ ବିଚାରଧାରାର ଜଣେ କଠୋର ସମର୍ଥକ ଭାବରେ ତାଙ୍କର ଖ୍ୟାତିକୁ ଆହୁରି ଦୃଢ଼ କରିଥିଲା। ୟେଚୁରୀ ଅନେକ ଥର ସାଂସଦ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।