ଆରଜି କର ଘଟଣା ପରେ ସଚେତନ ହେଲେ ଓଡ଼ିଶା ସରକାର

ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ବର, ୧୮/୦୯: ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ପରେ ସଚେତନ ହୋଇଛନ୍ତି ଓଡ଼ିଶା ସରକାର। ରାଜ୍ୟରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବୁଧବାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ସମସ୍ତ ହସ୍ପିଟାଲର ଏକ ପରିଧି ସୀମାର ପାଚେରି ରହିବ। ଡାକ୍ତରଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ରହିବ। ସ୍ୱାସ୍ଥ୍ୟ ଅନୁଷ୍ଠାନ ପରିସରରେ ସାଧାରଣ ଜନତା ଗାଡି ପାର୍କିଂ କରି ପାରିବେ ନାହିଁ ଏବଂ ଯାନବହନର ପ୍ରବେଶ ନିୟନ୍ତ୍ରଣ କରାଯିବ। ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଏକ ପରିଚୟ ପତ୍ର ଓ ସମାନ ଡ୍ରେସ୍ କୋଡ୍ ଲାଗୁ କରାଯିବ। ଇନ୍ ଡୋର ରୋଗୀଙ୍କ ପାଇଁ ଭିଜିଟର୍ ପାସ୍ ବ୍ୟବସ୍ଥା କରାଯିବ। ପ୍ରତି ରୋଗୀ ପିଛା ମାତ୍ର ୨ଟି ପ୍ରବେଶ ପାସ୍ ପ୍ରଦାନ କରାଯିବ ଏବଂ ୱାର୍ଡକୁ ପ୍ରବେଶ କରୁଥିବା ଆଟେଣ୍ଡାଣ୍ଟମାନଙ୍କୁ ସୁରକ୍ଷା କର୍ମୀମାନେ ଯାଞ୍ଚ କରି ଭିତରକୁ ଛାଡିବେ। ଆଟେଣ୍ଡାଣ୍ଟମାନେ ୱାର୍ଡ ବାହାରେ ଏକ ନିର୍ଦ୍ଦିଷ୍ଟ ପ୍ରତୀକ୍ଷା ସ୍ଥାନରେ ଅପେକ୍ଷା କରିବେ। ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ହିଁ ଆଟେଣ୍ଡାଣ୍ଟମାନଙ୍କୁ ରୋଗୀଙ୍କୁ ଭେଟିବାକୁ ଅନୁମତି ଦିଆଯିବ। ମେଡିକାଲର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଭିଜିଟିଙ୍ଗ ସମୟ ସମ୍ପର୍କରେ ଭିଜିଟିଙ୍ଗ କାର୍ଡରେ ଉଲ୍ଲେଖ ରହିବ।

ସମସ୍ତ ଓପିଡି ଓ ୱାର୍ଡ ବାହାରେ ସିକ୍ୟୁରିଟି ଗାର୍ଡ ମୁତୟନ ହେବେ। ଯଥାସମ୍ଭବ ଉଭୟ ପୁରୁଷ ଓ ମହିଳା ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ। ସୁରକ୍ଷା କର୍ମୀମାନେ କ୍ୟାମ୍ପସରେ ପାଟ୍ରୋଲିଂ କରି ଅନଧିକୃତ ଗାଡିକୁ ହଟାଇବା ପାଇଁ ପଦକ୍ଷେପ ନେବେ। ଆବଶ୍ୟକ ପଡ଼ିଲେ ହସ୍ପିଟାଲରେ ହାଇ କେସ୍ ଲୋଡ୍ ବିଭାଗ ନିକଟରେ ସିକ୍ୟୁରିଟି ହବ୍ ଖୋଲାଯିବ। ଏହି ହବ୍ ଗୁଡ଼ିକର ଟେଲିଫୋନ୍ ନମ୍ବର ସାଇନ ବୋର୍ଡ ମାଧ୍ୟମରେ ପ୍ରଦର୍ଶନ କରାଯିବ। ଡାକ୍ତରଖାନାର ଗତିବିଧି ଉପରେ ନଜର ରଖିବା ପାଇଁ ଡାକ୍ତରଖାନାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। କ୍ୟାମ୍ପସର ସମସ୍ତ ହଷ୍ଟେଲ, ମୁଖ୍ୟ ଫାଟକ, ରାସ୍ତା, ସିଡ଼ି, ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ହଷ୍ଟେଲର ପ୍ରତ୍ୟେକ ମହଲା ବାହାରେ ସିସିଟିଭି ଲଗାଯିବ।

ନିୟମିତ ଭାବେ ସିସିଟିଭି ଫୁଟେଜ୍ ଉପରେ ନଜର ରଖିବା ପାଇଁ ସୁରକ୍ଷା କର୍ମୀଙ୍କ ଦ୍ୱାରା ୨୪ ଘଣ୍ଟିଆ ନଜର ରଖାଯିବ। ସୁରକ୍ଷିତ ପାର୍କିଂ ସ୍ଥାନ, କ୍ୟାମ୍ପସରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ। ମହିଳା ଡାକ୍ତର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ନାଇଟ୍ ସିଫ୍ଟ ପାଇଁ ସେକ୍ଟର ସେବା କିମ୍ବା ସୁରକ୍ଷିତ ପରିବହନ ବିକଳ୍ପର ବ୍ୟବସ୍ଥା କରାଯିବ। ଏମର୍ଜେନ୍ସି ପାଇଁ ନିର୍ଦ୍ଧାରିତ ଫୋନ୍ ନମ୍ଵର୍ କ୍ୟାମ୍ପସରେ ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାଯିବ। ସମସ୍ତ ହସ୍ପିଟାଲ ନିକଟସ୍ଥ ଥାନା ଆଇଆଇସି ଓ ଭାରପ୍ରାପ୍ତ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ ରଖିବେ। ସମସ୍ତ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଯାଇପାରିବ। ସର୍ବଦା ଡ୍ୟୁଟିରେ ଅତି କମରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ।