ବିଜେଡିର ରିଆକ୍ସନ ବିଜେପିର ଆକ୍ସନ

ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡ଼ି

ଭୁବନେଶ୍ୱର, ୨୩/୦୯: ଆସନ୍ତା ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଥାନ୍ତା ବିଜେଡ଼ି। ରାଜଧାନୀ ଭୁବନେଶ୍ୱରରେ କରିଥାନ୍ତା କରିଥାନ୍ତା ଆନ୍ଦୋଳନ। ୬ ଘଂଟିଆ ଭୁବନେଶ୍ବର ବନ୍ଦ କରି ରାଜଭବନ ଘେରାଉ କରିଥାଆନ୍ତା। ହେଲେ, ପାଣିଫୋଟକା ପରି ମିଳେଇଗଲା ବିରୋଧୀ ଦଳର ଯୋଜନା। ସବୁ ଆଶାକୁ ଚୂରମାର କରିଦେଲା ଶାସକ ଦଳ। ବିଜେଡିର ରିଆକ୍ସନ ଦେଖି ବିଜେପି ନେଲା ଆକ୍ସନ। ବିଜେଡିର ରାଜଭବନ ଘେରାଉ କରିବା ଆଶାକୁ ଆଶାରେ ରଖିଦେଲା ବିଜେପି।

ଗତ ୧୪ ତାରିଖ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ମେଜର ଗୁରବଂଶ ସିଂହ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ। ରାସ୍ତାରେ ଯାଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତିଙ୍କ ଶିକାର ହୋଇଥିଲେ। ଏ ନେଇ ଭରତପୁର ଥାନାକୁ ରିପୋର୍ଟ ଲେଖାଇବା ପାଇଁ ଯାଇଥିଲେ ମେଜର ଓ ବାନ୍ଧବୀ। ହେଲେ, ନ୍ୟାୟ ଦେବା ବଦଳରେ ଅନ୍ୟାୟ କରିଥିଲେ ଭରତପୁର ଥାନା ପୋଲିସ୍ ଅଧିକାରୀ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦେଇଥିଲେ ଅକଥନୀୟ ଅତ୍ୟାଚାର। ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରି ଲହୁଲୁହାଣ କରି ଦେଇଥିଲେ ପୋଲିସ୍ ଅଧିକାରୀ। ଏଥିରେ କେବଳ ଜଣେ କି ଦୁଇ ଜଣ ନୁହେଁ, ବରଂ ୫ ଜଣ ପୋଲିସ ଅଧିକାରୀ ସାମିଲ ଥିଲେ। ଏହି ମାମଲାରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର, ସବ୍ ଇନ୍ସପେକ୍ଟର ବୈଶାଳୀନୀ ପଣ୍ଡା, ମହିଳା ଏଏସଆଇ ସଲିଳାମୟୀ ସାହୁ ଓ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା ସମ୍ପୃକ୍ତ ଥିଲେ।

ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ଉପରେ ଉଠିଥିଲା ପ୍ରଶ୍ନ। ଯଦି ରକ୍ଷକ ସାଜିବ ଭକ୍ଷକ, ତାହାଲେ ନ୍ୟାୟ ଦେବ କିଏ? ଏହା କେବଳ ରାଜ୍ୟରେ ନୁହେଁ, ବରଂ ଜାତୀୟ ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗର ଶିରୋନାମା ପାଲଟିଛି। ଜାତୀୟ ସ୍ତରରେ ଓଡ଼ିଶାର ଚେହେରା ବଦନାମ ହେଉଥିବା ଦେଖାଦେଉଛି।

ଏହି ଘଟଣା ପରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଦଳକୁ ମିଳିଥିଲା ମୁଖ୍ୟ ପ୍ରସଙ୍ଗ। ଏ ନେଇ ସମସ୍ତ ପ୍ରସ୍ତୁତି ସାରିଥିଲା ବିଜେଡି। ମଙ୍ଗଳବାର ବିଚାର ବିଭାଗୀୟ ତଦନ୍ତ ଦାବି କରି ରାଜଭବନ ଘେରାଉ କରିଥାନ୍ତା ବିଜେଡି। ଏ ନେଇ ଘୋଷଣା ମଧ୍ଯ ସରିଥିଲା। ହେଲେ, ବିରୋଧୀ ଦଳ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ କରିବା ପୂର୍ବରୁ ହିଁ ବିଜେଡିର ଯୋଜନାକୁ ପଣ୍ଡ କରି ଦେଇଛନ୍ତି ରାଜ୍ୟ ସରକାର। ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାଜ୍ୟରେ ବିଜେପି ଶାସନ କରିବାର ୧୦୦ ଦିନ ପୂରଣ ହେବା ଖୁସିରେ ଉତ୍ସବ ମନାଉଥିଲା ଶାସକ ଦଳ। ଏହି ସମୟରେ ଏଭଳି ଲଜ୍ଜାଜନକ ଘଟଣା ଘଟିବା ଅତ୍ୟନ୍ତ ପରିତାପର ବିଷୟ। କିନ୍ତୁ ଏହି ଘଟଣାକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ଏତେ ବିଳମ୍ବରେ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେବା ହଜମ ହେଉନାହିଁ। ଜାତୀୟ ସ୍ତରରେ ଓଡ଼ିଶାର ଛବି ଖରାପ ହେବା ନେଇ, ନା ବିଜେଡିର ଆନ୍ଦୋଳନ କରିବା ଭୟରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ତାହା ପ୍ରଶ୍ନ ଉଠିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି ବିଜେଡ଼ି।

ବର୍ତ୍ତମାନ ଭରତପୁର ପୋଲିସ ଷ୍ଟେସନ ଘଟଣାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ କରି ୬୦ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ, ଯେତେବେଳେ ଦୋଷୀଙ୍କ ବିରୋଧରେ ଠୋସ୍ ପ୍ରମାଣ ଅଛି, ସେ ସମୟରେ ତଦନ୍ତ ପାଇଁ ଏତେ ବିଳମ୍ବ କାହିଁକି ବୋଲି ପ୍ରଶ୍ନ ଉଠିଛି। ତଦନ୍ତରେ ବିଳମ୍ବ ଦ୍ୱାରା ଘଟଣାକୁ ଚପାଇବାକୁ ଏକ ପ୍ରୟାସ ନୁହେଁ ତ? ପୂର୍ବରୁ ମଧ୍ୟ ଅନେକ ଥର ବହୁ ଘଟଣାର ତଦନ୍ତ ହେବା ଆଗରୁ ହିଁ ଚପି ଯାଇଛି। ତେଣୁ ଏହି ଘଟଣାର ତଦନ୍ତ କେଉଁ ଆଡେ ଯିବ, ତାହା ବର୍ତ୍ତମାନ ସନ୍ଦେହ ଘେରରେ।

ପୂର୍ବରୁ ବିଜେଡି ଅନେକ ପ୍ରସଙ୍ଗରେ ଚୁପ୍ ରହୁଥିବା ବେଳେ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରୁଛି। ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ମାମଲା ସାମନାକୁ ଆସୁଥିବା ବେଳେ ବିଜେଡି କିନ୍ତୁ ଚୁପ୍ ରହୁଛି। ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବହୁ ଥର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଛି।

ଗତ ଥର ପୁରୀରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବା ବେଳେ ପୁରୀ ରାଜଭବନ ଦାୟିତ୍ୱରେ ଥିବା ଏଏସ୍ଓ ବୈକୁଣ୍ଠ ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ଘଟଣା ଜିରୋ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ସେହିପରି ପୁରୀ ରଥଯାତ୍ରା ବେଳେ ପାହୁଣ୍ଡରୁ ଖସି ବଳଭଦ୍ର ପଡିଯିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ବହୁ ଶୀଘ୍ର ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବେ ବୋଲି କହିଥିଲେ ପୁରୀ ଜିଲ୍ଲାପାଳ। ହେଲେ, ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ଦେଖା ଯାଇନାହିଁ। ନିକଟରେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁଇ ଦୁଇ ଥର ଜବତ ହୋଇଥିଲା ପୁଳାପୁଳା ସୁନା। ଏହି ଘଟଣାର ସଠିକ୍ ପର୍ଦ୍ଦାଫାସ କରିବା ବଦଳରେ ଚୁପ୍ ରହିଛନ୍ତି ରାଜ୍ୟ ସରକାର। ଏହା କ’ଣ ରାଜ୍ୟ ସରକାରଙ୍କ ପାରିବାପଣିଆ ବୋଲି ସାଧାରଣ ମହଲରେ ପ୍ରଶ୍ନ ଉଠିଛି।