କ୍ୱାଡ ସମ୍ମିଟ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି: ଭାରତ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର

ଆମେରିକାର ଡେଲାୱେରର ୱିଲମିଙ୍ଗଟନରେ କ୍ୱାଡ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଆମେରିକାଠୁ ଏମକ୍ୟୁ-୯ବି ପ୍ରିଡେଟର ଡ୍ରୋନ୍ କିଣିବ ଭାରତ

ନୂଆଦିଲ୍ଲୀ, ୨୨/୦୯: କ୍ୱାଡ ଶିଖର ସମ୍ମିଳନୀ ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିନି ଦିନିଆ ଆମେରିକା ଗସ୍ତରେ ଥିବା ବେଳେ ଆଜି ଆମେରିକାର ଡେଲାୱେରର ୱିଲମିଙ୍ଗଟନରେ କ୍ୱାଡ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଶିଖର ସମ୍ମିଳନୀରେ କ୍ୱାଡ ସଦସ୍ୟ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆଞ୍ଚଳିକ ଶାନ୍ତି ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ମିଳନୀରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳବାୟୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

କ୍ୱାଡ ଶିଖର ସମ୍ମିଳନୀରେ ଭାରତ- ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ଢାଞ୍ଚା ଅଧୀନରେ ସ୍ୱଚ୍ଛ ଓ ନିରପେକ୍ଷ ଅର୍ଥନୀତି ଉପରେ କେନ୍ଦ୍ରିତ ପ୍ରଥମ ଚୁକ୍ତିସ୍ୱାକ୍ଷର କରିଥିଲା ଭାରତ। ଆଇପିଇଏଫ୍ ସ୍ୱଚ୍ଛ ଅର୍ଥନୀତି ଚୁକ୍ତିର ଉଦ୍ଦେଶ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୈଷୟିକ ସହଯୋଗ, କର୍ମଶକ୍ତି ବିକାଶ ଏବଂ ଗବେଷଣା ସହଯୋଗକୁ ପ୍ରୋତ୍ସାହିତ କରିବା। ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ ଅନୁକୂଳ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା, ଶକ୍ତି ନିରାପତ୍ତା, ଜଳବାୟୁ ସ୍ଥିରତା ଏବଂ ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ ହ୍ରାସ ଦିଗରେ ଆଇପିଇଏଫ ଅଂଶୀଦାରମାନଙ୍କର ସାମୂହିକ ପ୍ରୟାସକୁ ତ୍ୱରାନ୍ୱିତ କରିବା।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଗର୍ଭାଶୟ କର୍କଟ ପରୀକ୍ଷା, ସ୍କ୍ରିନିଂ ଏବଂ ରୋଗ ନିର୍ଣ୍ଣୟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛି। ଭାରତର ‘ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ’ ଅଧୀନରେ ସ୍ୱାସ୍ଥ୍ୟସେବା, ଗର୍ଭାଶୟ କର୍କଟ ମୁକାବିଲା ଏବଂ ରେଡିଓଥେରାପି ଚିକିତ୍ସାରେ ସହାୟତା ପାଇଁ ପାଣ୍ଠି ଉତ୍ସର୍ଗ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଆମେରିକୀୟ ପ୍ରତିରକ୍ଷା କମ୍ପାନି ଜେନେରାଲ ଆଟୋମିକ୍ସଠାରୁ ଏମକ୍ୟୁ-୯ବି ପ୍ରିଡେଟର ଡ୍ରୋନ୍ କ୍ରୟ ଉପରେ ଜୋ ବାଇଡେନ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆମେରିକାଠାରୁ ଭାରତ ୩୧ଟି ପ୍ରିଡେଟର ଡ୍ରୋନ କ୍ରୟ କରିବା ଦ୍ୱାରା ଭାରତ-ଆମେରିକା ରଣନୈତିକ ଭାଗିଦାରୀ ବଢିବ। ଏହା ଦ୍ୱାରା ଭାରତର ଗୁଇନ୍ଦା, ନିରୀକ୍ଷଣ ଏବଂ ଅନୁସନ୍ଧାନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ। ମୁଖ୍ୟତଃ ଚୀନ୍ ସୀମାନ୍ତ ତଥା ଭାରତ ମହାସାଗର ଅଞ୍ଚଳରେ ନିଜର ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଭାରତ ଆମେରିକାର ପ୍ରତିରକ୍ଷା କମ୍ପାନି ଜେନେରାଲ୍ ଆଟୋମିକ୍ସଠାରୁ ୩ ବିଲିୟନ ଡଲାରରୁ ଅଧିକ ବ୍ୟୟରେ ‘ହଣ୍ଟର-କିଲର୍’ ଡ୍ରୋନ୍ (୧୬ ସ୍କାଏ ଗାର୍ଡିଆନ୍ ଏବଂ ୧୫ ସି ଗାର୍ଡିଆନ୍) କ୍ରୟ କରିଛି।

ଭାରତ-ପ୍ରଶାନ୍ତ ମହାସାଗରୀୟ ଛାତ୍ରଛାତ୍ରୀଙ୍କ ପାଇଁ କ୍ୱାଡ୍ ଷ୍ଟେମ୍ ଫେଲୋସିପ୍ ଆରମ୍ଭ ହୋଇଛି। ଭାରତୀୟ ବୈଷୟିକ ଅନୁଷ୍ଠାନରେ ଇଞ୍ଜିନିୟରିଂରେ ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ହାସଲ କରିବା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ କ୍ୱାଡ୍ ଷ୍ଟେମ୍ ଫେଲୋସିପ୍ ଅଧୀନରେ ଏକ ନୂତନ ଉପ-ବର୍ଗ ଆରମ୍ଭ କରିଛି। ଏହି ନୂତନ ପଦକ୍ଷେପ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶିକ୍ଷାଗତ ସହଯୋଗ ବୃଦ୍ଧି କରିବ ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ କ୍ଷେତ୍ରରେ ପ୍ରତିଭାବାନ ଛାତ୍ରମାନଙ୍କୁ ସହାୟତା କରିବ।

କ୍ୱାଡ୍ ମେରିଟାଇମ୍ ଇନିସିଏଟିଭ୍ ଫର୍ ଟ୍ରେନିଂ (ଏମ୍ ଆଇଟିଆରଆଇ), ୨୦୨୫ ପାଇଁ ‘କ୍ୱାଡ୍-ଆଟ୍-ସି ସିପ୍ ଅବଜର୍ଭର ମିସନ୍’ ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛି। ସାମୁଦ୍ରିକ ନିରାପତ୍ତା ବୃଦ୍ଧି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବନ୍ଦର ଭିତ୍ତିଭୂମିକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଥିବା ବେଳେ ରାଷ୍ଟ୍ରପତି ବାଇଡେନଙ୍କୁ ‘ଦିଲ୍ଲୀ-ଡେଲାୱେର’ ସିଲଭର ଟ୍ରେନ୍ ମଡେଲ୍ ଉପହାର ଦେଇଛନ୍ତି। ହାତରେ ନିର୍ମିତ ଏକ ଟ୍ରେନ୍ ମଡେଲ୍ ପ୍ରଦାନ କରିଛନ୍ତି, ଯେଉଁଥିରେ ପାର୍ଶ୍ୱରେ ‘ଦିଲ୍ଲୀ-ଡେଲାୱେର’ ଲେଖା ଯାଇଛି। ମହାରାଷ୍ଟ୍ରର କାରିଗରଙ୍କ ଦ୍ୱାରା ୯୨.୫% ରୂପାରେ ନିର୍ମିତ ଏହି ଟ୍ରେନ୍ ମଡେଲ ଭାରତର ଉତ୍କୃଷ୍ଟ ଧାତୁ କାର୍ଯ୍ୟ ପରମ୍ପରାକୁ ଦର୍ଶାଉଛି। ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନଙ୍କୁ ପଶ୍ମିନା ଶାଲ୍ ଉପହାର ଦେଇଥିଲେ। ଜାମ୍ମୁ-କାଶ୍ମୀରର ପଶ୍ମିନା ଶାଲ ନିଜର କୋମଳତା ପାଇଁ ଜଣାଶୁଣା, ଯାହା ସୁନ୍ଦର ଫାଇବରରେ ତିଆରି ହୋଇଥାଏ।

ପ୍ରତିରକ୍ଷା, ବାଣିଜ୍ୟ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନାନ ଆମେରିକାର ଡେଲାୱେରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଥିଲେ। ଉଭୟ ନେତା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀ ବୃଦ୍ଧି ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବାଣିଜ୍ୟ, ନିରାପତ୍ତା ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

କ୍ୱାଡ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଭିତ୍ତିଭୂମି, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଏବଂ ସବୁଜ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଜାତିସଂଘ ସାଧାରଣ ସଭାରେ ‘ଭବିଷ୍ୟତର ଶିଖର ସମ୍ମିଳନୀ’କୁ ମଧ୍ୟ ସମ୍ବୋଧିତ କରିଥିଲେ। ଜାତିସଂଘ ପରିଷଦରେ ସଦସ୍ୟ ବୃଦ୍ଧି କରିବା ପାଇଁ ଓ ସଂସ୍କାର ଆଣିବା ପାଇଁ ଭାରତର ପ୍ରସ୍ତାବ ଉପରେ ସହମତି କରିଛନ୍ତି ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ। ୨୦୨୫ କ୍ୱାଡ ଶିଖର ସମ୍ମିଳନୀରେ ଭାରତରେ ଅନୁଷ୍ଠିତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରସ୍ତାବ ଦେଇଥିଲେ।

ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ନ୍ୟୁୟର୍କର ହୋଟେଲ ଲୋଟେ ପ୍ୟାଲେସରେ ପହଞ୍ଚି ସେଠାରେ ପ୍ରବାସୀ ଭାରତୀୟ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ପରିବେଷଣ କରୁଥିବା କଳାକାରମାନଙ୍କ ସହ ଆଲୋଚନା କରିଥିଲେ।