ଭରତପୁର ଥାନା ଘଟଣା: ଚାପରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର: ବିଜେଡି

ବିଜେଡିର ୨୪ ତାରିଖରେ ହେବାକୁ ଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ପ୍ରତ୍ୟାହାର।

ଦାୟିତ୍ୱସମ୍ପନ୍ନ ଦଳ ଭାବେ ଜନସାଧାରଣଙ୍କୁ ଅସୁବିଧାରେ ପକାଇବା ଚାହୁଁନାହୁଁ

ଭୁବନେଶ୍ୱର, ୨୩/୦୯: ଭରତପୁର ଠାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ଅକଥନୀୟ ଓ ଅମାନବୀୟ ଅତ୍ୟାଚାର ଘଟଣାରେ ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରାକୁ ବିଜୁ ଜନତା ଦଳ ସାମୟିକ ଭାବେ ପ୍ରତ୍ୟାହାର କରିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି । ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନ୍ୟାୟାଳୟର ତତ୍ତ୍ୱାବଧାନରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଏହି ଲଜ୍ଜାଜନକ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ବିଜୁ ଜନତା ଦଳ ହରତାଳର ଡାକରା ଦେଇଥିଲା । ଯେହେତୁ ସରକାର ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି, ଆମ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରାକୁ ଆମେ ସାମୟିକ ଭାବେ ପ୍ରତ୍ୟାହାର କରୁଛୁ । ବିଜୁ ଜନତା ଦଳ ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଏବଂ ନିହାତି ଆବଶ୍ୟକ ନ ହେଲେ ଆମେ ହରତାଳ କରି ଜନ ସାଧାରଣଙ୍କୁ ହଇରାଣ କରିବାକୁ ଉଚିତ ମନେ କରୁନାହୁଁ ।

ଶ୍ରୀ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣା ସେପ୍ଟେମ୍ୱର ୧୪ ତାରିଖରେ ଘଟିଥିଲେ ହେଁ ୧୮ ତାରିଖରେ ଉଚ୍ଚ ନ୍ୟାୟାଳୟ ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ପ୍ରଦାନ କରିବା ପରେ ଲୋକଲୋଚନକୁ ଆସିଥିଲା । ୧୭ ତାରିଖରେ ଭୁବନେଶ୍ୱରର ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଗଣମାଧ୍ୟମରେ ଭରତପୁର ଥାନା ଘଟଣାରେ ପୋଲିସ ସପକ୍ଷରେ ଯୁକ୍ତି ବାଢିଥିଲେ । ୧୮ ତାରିଖରେ ଘଟଣା ଲୋକଲୋଚକୁ ଆସିବା ପରେ ସରକାର ସେହି ଥାନାର ପାଞ୍ଚ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ୱିତ କରିଥିଲେ ଯାହାର ଅର୍ଥ ହେଉଛି ଏହି ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ଥିଲା । ଏହି ସମ୍ୱେଦନଶୀଳ ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ବିଚାର ବିଭଗୀୟ ତଦନ୍ତ ଓ ଏସଆଇଟି ଗଠନର ଦୃଢ଼ ଦାବି କରିଥିଲେ । ବିଜୁ ମହିଳା ଜନତା ଦଳ ରାଜଭବନ ସମ୍ମୁଖରେ ଏକ ଗଣଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ବିଜୁ ଜନତା ଦଳ ପକ୍ଷରୁ ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରା ଦିଆଯାଇଥିଲା ।

ଏହି ଘଟଣାରେ ରାଜ୍ୟ ତଥା ଦେଶର ବିଭିନ୍ନ ବର୍ଗରୁ ତୀବ୍ର ପ୍ରତିକ୍ରିୟା ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସରକାର ଚାପରେ ବଶବର୍ତ୍ତୀ ହୋଇଥିଲେ ଏବଂ ଶେଷରେ ଚାପ ଆଗରେ ମୁଣ୍ଡ ନୁଆଇଁ ବିଚାର ବିଭାଗୀୟ ତଦନ୍ତର ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ । ସରକାର ଆମ ଦାବି ମାନି ନେଇଥିବାରୁ ଆମେ ହରତାଳ ଡାକରାକୁ ସାମୟିକ ଭାବେ ପ୍ରତ୍ୟାହାର କରୁଛୁ । କିନ୍ତୁ ଆମେ ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଛୁ ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା ହେଲେ ଆମେ ପୁଣି ସ୍ୱର ଉତ୍ତୋଳନ କରିବୁ ବୋଲି ଶ୍ରୀ ସାହୁ କହିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀ ମନ୍ମଥ ରାଉତରାୟ ଉପସ୍ଥିତ ରହି ନିଜର ମତ ରଖିଥିଲେ ।