ଭାରତରେ ଦେଖାଗଲା ପ୍ରଥମ ଏମପକ୍ସ କ୍ଲେଡ୍ ୧ବି ଷ୍ଟ୍ରେନ

କେରଳରେ ଜଣେ ବିଦେଶ ଫେରନ୍ତା ବ୍ୟକ୍ତି ସଂକ୍ରମିତ

ନୂଆଦିଲ୍ଲୀ, ୨୩/୦୯: କେରଳର ମଲାପୁରମରେ ମଙ୍କିପକ୍ସ କ୍ଲେଡ ୧ବି ଷ୍ଟ୍ରେନର ପ୍ରଥମ ମାମଲା ସାମ୍ନାକୁ ଆସିଛି। ନିକଟରେ ୟୁଏଇରୁ ଫେରିଥିବା କେରଳର ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କଠାରେ ସୋମବାର ଭାରତରେ ମଙ୍କିପକ୍ସ କ୍ଲେଡ୍ ୧ବି ଷ୍ଟ୍ରେନ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଫ୍ରିକାରେ କ୍ଲେଡ୍ ୧ବି ମାମଲା ବୃଦ୍ଧି ଯୋଗୁଁ ଅତି ସହଜରେ ଏହା ସଂକ୍ରମିତ ହେଉଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଏମପକ୍ସକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।

ପୂର୍ବରୁ ନୂଆଦିଲ୍ଲୀରେ ଏମପକ୍ସ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ହରିୟାଣାର ହିସାରର ଜଣେ ୨୬ ବର୍ଷୀୟ ଯୁବକ ପୂର୍ବ ପଶ୍ଚିମ ଆଫ୍ରିକୀୟ କ୍ଲେଡ୍-୨ ଷ୍ଟ୍ରେନରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିପାଇଁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ସତର୍କବାଣୀ ଜାରି କରାଯାଇନଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚଳିତ ମାସ ପ୍ରାରମ୍ଭରେ ବାହାର ଦେଶରୁ ଭାରତକୁ ଆସୁଥିବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏମପକ୍ସର ସମସ୍ତ ସନ୍ଦିଗ୍ଧ ରୋଗୀଙ୍କ ସ୍କ୍ରିନିଂ ଏବଂ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲା। ଉଭୟ ସନ୍ଦିଗ୍ଧ ଓ ନିଶ୍ଚିତ ରୋଗୀଙ୍କ ଯତ୍ନ ନେବା ପାଇଁ ଡାକ୍ତରଖାନାଗୁଡ଼ିକରେ ସ୍କ୍ରିନିଂ ଓ ଆଇସୋଲେସନ୍ ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।