ଆତିଥେୟତା ସାଙ୍ଗକୁ ମାନବିକତାକୁ ନେଇ ଉତ୍ସବ

ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର, ୨୫/୦୯: ଚଳିତ ବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ‘ପର୍ଯ୍ୟଟନ ଓ ଶାନ୍ତି’କୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଏହି ଶିବିରକୁ ଉଦଘାଟନ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ବିଭାଗର ଏଭଳି ପଦକ୍ଷେପକୁ ସ୍ୱାଗତ କହିବା ସହ ଆତିଥେୟତା ଓ ମାନବିକତାର ପ୍ରଦର୍ଶନ, ପ୍ରସାର ଓ ଜନସଚେତନତା ନିମନ୍ତେ କର୍ମଚାରୀମାନଙ୍କ ଏପରି ପ୍ରୟାସକୁ ଅଭିନନ୍ଦନ ଜଣାଇବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ। ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଇଏଚ୍‌ଏମ୍‌ରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ପ୍ରଥମେ ରକ୍ତଦାନ କରିଥିବା ସେ୍ୱଚ୍ଛାସେବୀ ଦେବ ଲୋହାର, ସବ୍ୟସାଚୀ ପଣ୍ଡା, ବିଭୂତି କୁମାର ନାୟକ, ସୋମେଶ କୁମାର ସାହୁଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପରେ ଅନ୍ୟ ସମସ୍ତ ରକ୍ତଦାତାଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଶିବିରରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖାର ସହଯୋଗରେ ୭୫ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଓଟିଡିସି ଅଧିକାରୀ, ସେ୍ୱଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ଆଇଏଚଏମ ଭୁବନେଶ୍ୱରର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।