ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦାସାହେବ ଫାଲକେ ସମ୍ମାନ

ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ସମ୍ମାନ ମିଳିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

୭୦ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ମିଳିବ ସମ୍ମାନ

ନୂଆଦିଲ୍ଲୀ, ୩୦/୦୯: ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ ଚଳଚ୍ଚିତ୍ର ପାଇଁ ବଳିଷ୍ଠ ଅବଦାନ ଦେଇ ଥିବାରୁ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଅକ୍ଟୋବର ୮ରେ ଅନୁଷ୍ଠିତ ହେବାକୁ ଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ୭୪ ବର୍ଷୀୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏହି ପୁରସ୍କାର ଗ୍ରହଣ କରିବେ।

ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଲେଖିଛନ୍ତି, ମିଥୁନ ଦାଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେଉଛି। ଦାଦାସାହେବ ଫାଲକେ ଚୟନ ଜୁରି ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ଶ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ସଂକ୍ରାନ୍ତରେ ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, “ଏତେ ବଡ ସମ୍ମାନ ପାଇଁ ମନୋନୀତ ହେବା ପରେ ମୁଁ କିପରି ଅନୁଭବ କରୁଛି, ତାହା ପ୍ରକାଶ କରିବା ପାଇଁ ମୋ ପାଖରେ କୌଣସି ଭାଷା ନାହିଁ। ନା ହସି ପାରୁଛି ନା ମୁଁ ଖୁସିରେ କାନ୍ଦିପାରୁଛି। ମୁଁ କୋଲକାତାର ଏକ ଛୋଟ ଜାଗାରୁ ଆସିଛି; ମୁଁ ଫୁଟପାଥରୁ ଉଠି ଏପର୍ଯ୍ୟନ୍ତ ଆସିଛି। ମୁଁ ଅତ୍ୟନ୍ତ ଖୁସି ଅଛି। ଏହି ସମ୍ମାନକୁ ମୁଁ ମୋ ପରିବାର ଏବଂ ସାରା ବିଶ୍ୱରେ ଥିବା ମୋ ପ୍ରଶଂସକମାନଙ୍କୁ ସମର୍ପିତ କରୁଛି।