ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ

ସାଧାରଣ ବଣ୍ଟନ, ଧାନସଂଗ୍ରହ ଓ ଗୋଦାମ ପରିଚାଳନା ନେଇ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର, ୦୩/୧୦: ରାଜ୍ୟରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥାରେ ଉନ୍ନତିକରଣ ଓ ଚାଷୀ ମାନଙ୍କ ପ୍ରଗତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀ ମାନଙ୍କୁ ବୋନସ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ନିକଟରେ ଛତିଶଗଡ଼ ଗସ୍ତ କରିଥିଲେ । ସେଠାରେ କ୍ଷେତ୍ର ପରିଦର୍ଶନ ସହ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ, ଧାନ ସଂରକ୍ଷଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ବାବଦରେ ଅବଗତ ହୋଇଥିଲେ ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ୭୫ ଜଣିଆ ପ୍ରତିନିଧି ମଣ୍ଡଳୀରେ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ଥିଲେ । ଏହି ପ୍ରତିନିଧି ମଣ୍ଡଳୀର ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ପଡୋଶୀ ରାଜ୍ୟ ଛତିଶଗଡ଼ର ପ୍ରତିପକ୍ଷମାନଙ୍କ ସହ ଆଲୋଚନା କରି ଚାଷୀମାନଙ୍କ ଦ୍ୱାରା ଗୋଦାମ ଓ ପ୍ୟାକ୍ସ ପରିଚାଳନା, ଧାନସଂଗ୍ରହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପର୍କରେ ପଚାରି ବୁଝିବା ସହ ପିଡ଼ିଏସ ମାଧ୍ୟମରେ ଚାଉଳ ଓ ଗହମ ସମେତ ଚିନି, ଗୁଡ଼ ଓ ଲୁଣ ବଣ୍ଟନର ଅନୁଧ୍ୟାନ କରିଥିଲେ ।

ଏଥିସହ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ଏହି ପ୍ରତିନିଧି ମଣ୍ଡଳୀ ଛତିଶଗଡ଼ର ଖାଦ୍ୟଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଶ୍ରୀ ଦୟାଲ୍‌ ଦାସ ବାଘେଲ୍‌, ସମବାୟ ମନ୍ତ୍ରୀ ଶ୍ରୀ କେଦାର କାଶ୍ୟପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ଏତଦବ୍ୟତୀତ ଛତିଶଗଡ଼ରେ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ପ୍ରବାସୀ ଓଡ଼ିଆ ଶ୍ରୀ ପୁରନ୍ଦର ମିଶ୍ରଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।

ଏହି ଗସ୍ତ ଅବସରରେ ବୈଷୟିକ ଦଳ, ଯୋଗାଣ ଅଧିକାରୀ, ମାର୍କେଟିଂ ଇନ୍‌ସପେକ୍ଟର ପ୍ରମୁଖ ସାମିଲ ରହି ଛତିଶଗଡ଼ର ଧାନ ସଂଗ୍ରହ, ପ୍ୟାକ୍ସ ପରିଚାଳନା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ ।