ନୂତନ ସରକାରଙ୍କର ବଡ଼ ପଦକ୍ଷେପ

ନିଯୁକ୍ତି ପାଇବେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ

ଭୁବନେଶ୍ୱର, ୦୪/୧୦: ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(Schematic)ଙ୍କୁ ଶନିବାର ନିଯୁକ୍ତି ପତ୍ର ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମଠାରେ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(Schematic)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ।

କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଶିକ୍ଷାଦାନକୁ ଗୁଣାତ୍ମକ କରିବା ଦିଗରେ ଏହି ନିଯୁକ୍ତି ଏକ ବଡ଼ ପଦକ୍ଷେପ ହେବ। ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ପିଲାଙ୍କ ଭବିଷ୍ୟତ ଗଢିବା ଦିଗରେ ଏହା ସହାୟକ ହେବ । ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଥିବା ବେଳେ ଏହି ପଦକ୍ଷେପ ଲକ୍ଷ୍ୟ ପୂରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଚୟନ ହୋଇଥିବା ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ଜଣ, ବରଗଡ଼ ଜିଲ୍ଲାରେ ୪୭୯ଜଣ, ଭଦ୍ରକ ଜିଲ୍ଲାରେ ୨୬୦ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ଜଣ, ବୌଦ୍ଧ ଜିଲ୍ଲାରେ ୬୫ଜଣ, କଟକ ଜିଲ୍ଲାରେ ୮୯୩ଜଣ, ଦେବଗଡ଼ ଜିଲ୍ଲାରେ ୨୧ଜଣ, ଢେଙ୍କାନାଳ ଜିଲ୍ଲାରେ ୫୮୩ଜଣ, ଗଜପତି ଜିଲ୍ଲାରେ ୧୩ଜଣ, ଗଞ୍ଜାମ ଜିଲ୍ଲାରେ ୧୨୬୪ଜଣ, ଜଗତସିଂହପୁର ଜିଲ୍ଲାରେ ୮୮ଜଣ, ଯାଜପୁର ଜିଲ୍ଲାରେ ୮୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ଜଣ, କଳାହାଣ୍ଡି ଜିଲ୍ଲାରେ ୮୧୧ ଜଣ, କନ୍ଧମାଳ ଜିଲ୍ଲାରେ ୧୫୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮ଜଣ, କେନ୍ଦୁଝର ଜିଲ୍ଲାରେ ୧୩୨୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୭୫୩ ଜଣ, କୋରାପୁଟ ଜିଲ୍ଲାରେ ୯୨୨ଜଣ, ମାଲକାନଗିରି ଜିଲ୍ଲାରେ ୫୫୫ଜଣ, ମୟୂରଭଞ୍ଜ ଜିଲ୍ଲାରେ ୮୨୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ, ନୟାଗଡ଼ ଜିଲ୍ଲାରେ ୮୩ ଜଣ, ନୂଆପଡ଼ା ଜିଲ୍ଲାରେ ୨୨୧ ଜଣ, ପୁରୀ ଜିଲ୍ଲାରେ ୭୩୩ଜଣ, ରାୟଗଡ଼ା ଜିଲ୍ଲାରେ ୫୧୧ ଜଣ, ସମ୍ବଲପୁର ଜିଲ୍ଲାରେ ୨୧୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରେ ୧୫୭ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି ।