ଅପରେସନ ଗୁଗଲଧର: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

୨ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଜମ୍ମୁ/କଶ୍ମୀର, ୦୫/୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ ନେଇ ଗୁଇନ୍ଦାକୁ ମିଳିଥିବା ସୂଚନା ଆଧାରରେ କୁପଓ୍ଵାରା ଜିଲ୍ଲାର ଗୁଗଲଧରରେ ସେନା ଓ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଅପରେସନ ଆରମ୍ଭ ହୋଇଥିଲା। ‘ଅପରେସନ୍ ଗୁଗଲଧର’ ନାମରେ ଆତଙ୍କବାଦୀଙ୍କ ପ୍ରଚେଷ୍ଟାକୁ ବିଫଳ କରାଯାଇଥିଲା। ବିଶେଷ କରି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଶ୍ରୀନଗରସ୍ଥିତ ଚିନାର କର୍ପସ କହିଛି। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

କୁପଓ୍ଵାରାର ନିୟନ୍ତ୍ରଣ ରେଖା (ଏଲଓସି) ନିକଟ ଗୁଗଲଧର ଅଞ୍ଚଳରେ ଶୁକ୍ରବାର ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ଆହତ ହୋଇଥିଲେ। ପାଟ୍ରୋଲିଂ ସମୟରେ ଏହି ଘଟଣା ଘଟିଥିଲା। ଆହତ ଯବାନମାନଙ୍କୁ ଡ୍ରଗମୁଲାସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।