ଆଗାମୀ ପାକିସ୍ତାନ ଗସ୍ତ ନେଇ ଜୟଶଙ୍କରଙ୍କ ବୟାନ

ଏସସିଓର ଭଲ ସଦସ୍ୟ ହେବାକୁ ପାକ୍ ଯିବି

ନୂଆଦିଲ୍ଲୀ, ୦୫/୧୦: ପଡୋଶୀ ଦେଶ ପାକିସ୍ତାନରେ ହେବ ୨୦୨୪ ସଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକ। ଆସନ୍ତା ଅକ୍ଟୋବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏସସିଓ ର ଏକ ସଦସ୍ୟ ରାଷ୍ଟ୍ର ହୋଇଥିବାରୁ ଭାରତ ମଧ୍ୟ ଏହି ବୈଠକରେ ଯୋଗ ଦେବ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରତିନିଧିତ୍ୱ କରିବେ।

ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନ ଗସ୍ତରେ ଯିବାକୁ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶନିବାର କହିଛନ୍ତି ଯେ ତାଙ୍କର ପଡ଼ୋଶୀ ଦେଶ ଗସ୍ତ ଏକ ଏକ ବହୁପକ୍ଷୀୟ କାର୍ଯ୍ୟକ୍ରମ ପାଇଁ ହେବ। ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା କରିବାକୁ ଯାଉନାହିଁ। ଏସସିଓର ଜଣେ ଭଲ ସଦସ୍ୟ ହେବାକୁ ଯାଉଛି। ସାଧାରଣତଃ ପ୍ରଧାନମନ୍ତ୍ରୀ ରାଷ୍ଟ୍ରମୁଖ୍ୟମାନଙ୍କ ସହ ଏଭଳି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦିଅନ୍ତି, କିନ୍ତୁ ବେଳେବେଳେ ଏହା ବଦଳିଯାଏ।

ଜୟଶଙ୍କରଙ୍କ ଇସଲାମାବାଦ ଗସ୍ତ ପ୍ରାୟ ଏକ ଦଶନ୍ଧି ମଧ୍ୟରେ କୌଣସି ଉଚ୍ଚପଦସ୍ଥ ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ପାକିସ୍ତାନ ଗସ୍ତରେ ଯାଇଥିବା ଶେଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଇସଲାମାବାଦ ଯାଇଥିଲେ।

ସୁରକ୍ଷା ଏବଂ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏସସିଓ ମଧ୍ୟ ଏସୀୟ ରାଷ୍ଟ୍ର – ରୁଷିଆ, ଚୀନ, କିର୍ଗିଜସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ଏକ ରାଜନୈତିକ ସଂଘ ଭାବରେ ସ୍ଥାପିତ ହୋଇଥିଲା। ୨୦୧୭ରେ ଭାରତ ଓ ପାକିସ୍ତାନ ସ୍ଥାୟୀ ସଦସ୍ୟ ହୋଇଥିଲେ।