ପରଲୋକରେ ଟାଟା ସାମ୍ରାଜ୍ୟର ସମ୍ରାଟ ରତନ ଟାଟା

ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭାରତ ହରାଇଲା ଶିଳ୍ପ ଜଗତର ରତ୍ନ

ମୁମ୍ବାଇ, ୧୦/୧୦: ପରଲୋକରେ କିମ୍ବଦନ୍ତୀ ରତନ ଟାଟା। ପଦ୍ମବିଭୂଷଣ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ଘଟିଛି। ଭାରତର ଅନ୍ୟତମ ବୃହତ୍ତମ କମ୍ପାନି ଟାଟା ଗ୍ରୁପ୍ ଏବଂ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ପରଲୋକ ଘଟିଛି। ବୟସାଧିକ ଓ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୭ ତାରିଖରେ ଶରୀର ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ, ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସୁସ୍ଥ ଥିବା କହିଥିଲେ। ଯାହାକି ତାଙ୍କର ଶେଷ ପୋଷ୍ଟ ଥିଲା।

ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଏକ ବିବୃତ୍ତିରେ କହିଛନ୍ତି, “ଗଭୀର ଦୁଃଖର ସହ ଆମେ ରତନ ନାଭାଲ ଟାଟାଙ୍କୁ ବିଦାୟ ଦେଉଛୁ, ଯିଏ କି ପ୍ରକୃତରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ, ଯାହାଙ୍କ ଅତୁଳନୀୟ ଅବଦାନ କେବଳ ଟାଟା ଗ୍ରୁପ୍ ନୁହେଁ ବରଂ ଆମ ଦେଶର ଢାଞ୍ଚାକୁ ମଧ୍ୟ ରୂପ ଦେଇଛି। ସମଗ୍ର ଟାଟା ପରିବାର ତରଫରୁ ମୁଁ ତାଙ୍କ ପ୍ରିୟଜନଙ୍କୁ ଗଭୀର ସମବେଦନା ଜଣାଉଛି। ତାଙ୍କ ଦ୍ବାରା ସୃଷ୍ଟି ପରମ୍ପରା ଆମକୁ ପ୍ରେରଣା ଯୋଗାଇବ ଏବଂ ଆମେ ସେହି ନୀତିକୁ ବଜାୟ ରଖିବାକୁ ଚେଷ୍ଟା କରୁଛୁ ଯାହାକୁ ସେ ଉତ୍ସାହର ସହ ସମର୍ଥନ କରିଥିଲେ।”

ଟାଟା ଦେଶର ଅନ୍ୟତମ ବୃହତ୍ତମ ସମାଜସେବୀ ଭାବରେ ପରିଗଣିତ ହୋଇଥିଲେ। ରତନ ଟାଟା, ଯିଏ କି ତାଙ୍କ ଦାତବ୍ୟ କାର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ୧୯୯୧ରେ ଟାଟା ସନ୍ସର ଅଧ୍ୟକ୍ଷ ହେବା ପରେ ସେ ଜନହିତକର କାର୍ଯ୍ୟ କରିବା ଆରମ୍ଭ କରିଥିଲେ।

୧୯୯୧ରୁ ୨୦୧୨ ପର୍ଯ୍ୟନ୍ତ ଟାଟା ଗ୍ରୁପର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ଟାଟା ଟେଲିସର୍ଭିସେସ୍ ଏବଂ ଟାଟା କନସଲଟାନ୍ସି ସର୍ଭିସେସର ଆଇପିଓ ଭଳି ପ୍ରମୁଖ ପଦକ୍ଷେପର ନେତୃତ୍ୱ ନେଇଥିଲେ। ୧୯୯୬ ମସିହାରେ ଟାଟା ଗ୍ରୁପର ଟେଲିକମ୍ୟୁନିକେସନ୍ ଶାଖା ଟାଟା ଟେଲିସର୍ଭିସେସ୍ ପ୍ରତିଷ୍ଠା କରିଥିଲେ ଏବଂ ୨୦୦୪ରେ ଟାଟା ଗ୍ରୁପର ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସର ନେତୃତ୍ୱ ନେଇଥିଲେ। ୨୦୧୨ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ୨୯ ଡିସେମ୍ବର ୨୦୧୨ରୁ ଟାଟା ସନ୍ସ, ଟାଟା ଇଣ୍ଡଷ୍ଟ୍ରିଜ୍, ଟାଟା ମୋଟର୍ସ, ଟାଟା ଷ୍ଟିଲ୍ ଓ ଟାଟା କେମିକାଲ୍ସର ଅଧ୍ୟକ୍ଷ ଭାବେ ଟାଟାଙ୍କୁ ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥିଲା। ଅବସର ପରେ ରତନ ଟାଟା ଆରଏନଟି କ୍ୟାପିଟାଲ ନାମକ ଏକ ନିବେଶ ପ୍ଲାଟଫର୍ମରେ ସାମିଲ ହୋଇଥିଲେ। ଯାହା ଲେନ୍ସକାର୍ଟ, ବ୍ଲୁଷ୍ଟୋନ୍, ଓଲା ଇଲେକ୍ଟ୍ରିକ୍, ଟର୍କ ମୋଟର୍ସ ଏବଂ ଅର୍ବାନ୍ କମ୍ପାନି ଭଳି ଅନେକ ଷ୍ଟାର୍ଟଅପ୍ରେ ନିବେଶ କରିଥିଲା। ଅବସର ପରେ ମଧ୍ୟ ସେ ଟାଟା ଟ୍ରଷ୍ଟର ତଦାରଖ କରିବା ସହ ୩୦ରୁ ଅଧିକ ଷ୍ଟାର୍ଟଅପକୁ ସମର୍ଥନ କରିଥିଲେ।

ଶ୍ରୀ ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ଭାରତ ସରକାର ଟାଟାଙ୍କୁ ୨୦୦୦ରେ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ଏବଂ ୨୦୦୮ରେ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ। ୨୦୦୬ରେ ମହାରାଷ୍ଟ୍ର ଭୂଷଣ ସମ୍ମାନ, ୨୦୧୪ରେ ଅନରାରୀ ନାଇଟ୍ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଦି ବ୍ରିଟିଶ ଏମ୍ପାୟାର ସମ୍ମାନ, ୨୦୨୧ରେ ଆସାମ ବୈଭବ ଓ ୨୦୨୩ରେ ଅର୍ଡର ଅଫ ଅଷ୍ଟ୍ରେଲିଆ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରକଫେଲର ଫାଉଣ୍ଡେସନ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରିଥିଲା। ସେ ଭାରତ ଏବଂ ବିଦେଶର ଅନେକ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମଧ୍ୟ ପାଇଥିଲେ।