ପୋଲିସକୁ ଆକ୍ରମଣ କରିଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲରେ ଭର୍ତ୍ତି

ସମ୍ବଲପୁର, ୧୦/୧୦: ସମ୍ବଲପୁର ଜିଲ୍ଲାରେ ହୋଇଛି ଏନକାଉଣ୍ଟର। ପୋଲିସକୁ ଆକ୍ରମଣ କରି ଫେରାର ହୋଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ। ସୂଚନାନୁଯାୟୀ, ଗତ ୪ ତାରିଖରେ ଦାମ୍ପତ୍ୟ କଳହ ସମାଧାନ କରିବାକୁ ଯାଇ ପୋଲିସ ଉପରେ ହୋଇଥିଲା ଆକ୍ରମଣ। ଉଭୟ ଦମ୍ପତ୍ତିଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ତ୍ୟକ୍ତ ହୋଇ ପୋଲିସ କନଷ୍ଟେବଳଙ୍କୁ ଚାପଡରେ ହାଣି ହାତ ପାପୁଲି ଛିଡାଇ ଦେଇଥିଲା ଅଭିଯୁକ୍ତ କମଲୁ ପ୍ରଧାନ। ଅଭିଯୁକ୍ତ ଜଣକ ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ତାକୁ ଧରିବା ପାଇଁ ଚେଷ୍ଟା କରୁଥିଲା ପୋଲିସ। ସ୍ଥାନୀୟ ଏକ ଜଙ୍ଗଲରେ ଥିବା ବୁର୍ଲା ପୋଲିସକୁ ଖବର ମିଳିବା ପରେ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା। ହେଲେ, ପୋଲିସ ହାତରେ ଧରା ଦେବା ବଦଳରେ ସେ ପୁଣି ବୁର୍ଲା ଥାନାର ସବ ଇନ୍ସପେକ୍ଟରଙ୍କ ଉପରକୁ ଆକ୍ରମଣ କରିଥିଲା। ଏଥିରେ ସବ ଇନ୍ସପେକ୍ଟର ମଧ୍ୟ ଆହତ ହୋଇଛନ୍ତି। ଏହି ସମୟରେ ପୋଲିସ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର କରିଥିଲା। ଅପରାଧୀର ଡାହାଣ ଗୋଡରେ ଗୁଳି ବାଜିଛି। ଏ ନେଇ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।