ବିଜେଡି ଛାଡିଲେ ପ୍ରକାଶ ବେହେରା

୨୦୨୪ ସାଧାରଣ ନିର୍ବାଚନରେ କଟକ ବାରବାଟୀ ପାଇଁ ବିଜେଡ଼ି ଟିକେଟରୁ ଲଢିଥିଲେ।

ରାଜନୀତିରେ ମୋ ପାଇଁ ବିକଳ୍ପ ଖୋଲା ଅଛି: ପ୍ରକାଶ

ଭୁବନେଶ୍ବର, ୧୦/୧୦: ବିଜେଡ଼ି ଛାଡିଲେ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡି ଟିକେଟରୁ କଟକ ବାରବାଟୀରୁ ଗତ ସାଧାରଣ ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ବିଧାୟକ ରହିଥିଲେ। ପରେ ବିଜେପିରେ ଯୋଗ ଦେଇଥିଲେ। ହେଲେ, ବିଜେପିରେ ଯଥେଷ୍ଟ ସମ୍ମାନ ନମିଳିବାରୁ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ କଟକ ବାରବାଟୀ ପାଇଁ ବିଜେଡ଼ି ଟିକେଟରୁ ଲଢିଥିଲେ। ହେଲେ, ଆସନ ଜିତି ପାରିନଥିଲେ। ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ହୋଇଥିବାରୁ ଏହି ନିଷ୍ପତ୍ତି ନେଇଛି। ବହୁ ଆଲୋଚନା ଓ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନେଲେ। ଟିକେଟ ଦେଇଥିବାରୁ ନବୀନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରକାଶ।

ତେବେ ବିଜେଡ଼ି ଛାଡିବା ପରେ ସେ କେଉଁ ଦଳରେ ଯୋଗ ଦେବେ, ସେ ନେଇ ସ୍ପଷ୍ଟ ହୋଇନାହିଁ। ଆଗକୁ ସେ କେଉଁ ଦଳରେ ଯୋଗ ଦେବେ ସେ ନେଇ କିଛି କହି ନାହାଁନ୍ତି ପ୍ରକାଶ। କିନ୍ତୁ ପୁଣି ଥରେ ବିଜେପି କିମ୍ବା କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଦଳରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ବାରବାଟୀରୁ ଟିକେଟ ଦେଇ ଥିବାରୁ ନବୀନଙ୍କ ପ୍ରତି କୃତଜ୍ଞ। ନବୀନ କିମ୍ବା ଦଳ ପ୍ରତି ମୋର କୌଣସି ଅଭିଯୋଗ ନାହିଁ। କୌଣସି ବିବାଦ ଭିତରକୁ ଯିବାକୁ ଚାହୁଁନାହିଁ। ରାଜନୀତିରେ ବିକଳ୍ପ ଥାଏ, ମୋ ପାଇଁ ମଧ୍ୟ ବିକଳ୍ପ ଖୋଲା ଅଛି। ଟାଙ୍ଗୀ- ସାଲେପୁରବାସୀ ମୋ ଭବିଷ୍ୟତ ନିଷ୍ପତ୍ତି ନେବେ।