ସରକାରଙ୍କ ମାଗଣା ଔଷଧ ଦେବା ପାଇଁ ରୋଗୀଙ୍କଠୁ ନେଉଥିଲେ ଲାଞ୍ଚ

ଏସସିବି ମେଡିକାଲର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ, ୧୦/୧୦: ସାଧାରଣତଃ ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବା ପାଇଁ ମାଗଣାରେ ଔଷଧ ଯୋଗାନ୍ତି ରାଜ୍ୟ ସରକାର। ହେଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଏହି ମାଗଣା ଔଷଧ ଦେବା ପାଇଁ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଠାରୁ ଲାଞ୍ଚ ନେଉଥିଲେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡାଟା ଏଣ୍ଟ୍ରି ଅପରେଟର। ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ହେପାଟାଇଟିସ ରୋଗରେ ଚିକିତ୍ସିତ ହେଉଥିବା ଜଣେ ଗରିବ ରୋଗୀଙ୍କ ପୁଅଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ ହେପାଟୋଲୋଜି ବିଭାଗର ଡିଇଓ ସ୍ମୃତି ରଞ୍ଜନ ସାହୁ। ସରକାର ମାଗଣାରେ ବଣ୍ଟନ କରୁଥିବା ନିର୍ଦ୍ଧାରିତ ଔଷଧ ଦେବା ବଦଳରେ ଶ୍ରୀ ସାହୁ ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଟଙ୍କା ଦେବାକୁ ମନା କରିବାରୁ ଶ୍ରୀ ସାହୁ ଔଷଧ ଦେବାକୁ ମନା କରି ଦେଇଥିଲେ। ଯାହା ଫଳରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ। ଭିଜିଲାନ୍ସ ଶ୍ରୀ ସାହୁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ସେ ବେଆଇନ ଭାବେ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ଅଭିଯୁକ୍ତଙ୍କ ଠାରୁ ପୂରା ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଶ୍ରୀ ସାହୁଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି।