୧୭ରେ ଶପଥ ନେବେ ନାୟବ ସିଂହ ସାଇନି

ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ସାଇନି

ନୂଆଦିଲ୍ଲୀ, ୧୨/୧୦: ବିଜେପି ନେତା ନାୟବ ସିଂହ ସାଇନି ଅକ୍ଟୋବର ୧୭ରେ ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସାଇନିଙ୍କ ନେତୃତ୍ୱରେ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଲଗାତାର ତୃତୀୟ ବିଜୟ ହାସଲ କରିଛି।

ପଞ୍ଚକୁଲାର ପ୍ୟାରେଡ୍ ଗ୍ରାଉଣ୍ଡରେ ପୂର୍ବାହ୍ନ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସମାରୋହ ପୂର୍ବରୁ ଏକ ବୈଠକରେ ସାଇନିଙ୍କୁ ଆନୁଷ୍ଠାନିକ ଭାବେ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯିବ। ଶପଥ ଗ୍ରହଣ ବ୍ୟବସ୍ଥାର ତଦାରଖ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ୧୦ ଜଣିଆ କମିଟି ଗଠନ କରାଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ନାୟବ ସିଂହ ସାଇନି ଏବଂ ହରିୟାଣାର ଅନ୍ୟ ନବନିର୍ବାଚିତ ବିଜେପି ବିଧାୟକମାନେ ଦିଲ୍ଲୀରେ ଦଳର ବରିଷ୍ଠ ନେତୃତ୍ୱଙ୍କୁ ଭେଟିଥିଲେ। ବିଜେପି ହରିୟାଣାରେ ୯୦ଟି ବିଧାନସଭା ଆସନମଧ୍ୟରୁ ୪୮ଟିରେ ସର୍ବଶ୍ରେଷ୍ଠ ବିଜୟ ହାସଲ କରିଛି।