୧୮ରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାକୁ ଆଣିବେ ନିବେଶ: ଦେଶ, ବିଦେଶରେ କରିବେ ରୋଡ ସୋ’

ଭୁବନେଶ୍ବର, ୧୫/୧୦: ଆସନ୍ତା ୧୮ ଓ ୧୯ ତାରିଖରେ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ। ଏହା ସହ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିବେଶକମାନଙ୍କ ସହ ଆଲୋଚନା କରିବେ।

ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ସମ୍ଭାବନା ସମ୍ପର୍କରେ ଆଲୋକପାତ କରାଯିବ। ଏ ନେଇ ଶିଳ୍ପ ବିଭାଗ ପକ୍ଷରୁ ରୋଡ ସୋ’ର ଆୟୋଜନ କରାଯିବ। ଓଡ଼ିଶାକୁ ଶିଳ୍ପ ଆଣିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଓ ବିଦେଶରେ ମଧ୍ୟ ରୋଡ ସୋ କରିବେ ମୁଖ୍ୟମନ୍ତ୍ରୀ। ମୁମ୍ବାଇରେ ନିବେଶକମାନଙ୍କୁ ଭେଟି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ। ଓଡ଼ିଶା ଶିଳ୍ପ କ୍ଷେତ୍ରରେ ହବ୍ ହେବା ପାଇଁ ଓଡ଼ିଶାରେ ୫ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତ କରି ଓଡ଼ିଶାକୁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ସହ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, ବାଣିଜ୍ୟିକ କମିଶନର ଓ ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ବର୍ଷ ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଓଡ଼ିଶାର ପ୍ରମୁଖ ଶିଳ୍ପ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍-୨୦୨୫’ରେ ଯୋଗଦେବାକୁ ଶ୍ରୀ ମାଝୀ ନୂଆଦିଲ୍ଲୀରେ ଏକ ରୋଡ୍ ସୋ’ କରି ନିବେଶକମାନଙ୍କୁ ଅନୁରୋଧ କରିଥିଲେ।