୭୯ ବର୍ଷରେ ପାଦ ଥାପିଲେ ନବୀନ

ଭାରତୀୟ ରାଜନୀତିର ମହାନ ଜନନାୟକ

ଭୁବନେଶ୍ବର, ୧୬/୧୦: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ। ନବୀନ ଜଣେ ମୃଦୁଭାଷୀ ନେତା, ଯିଏ ଚର୍ଚ୍ଚାରେ କାମ କରିବା ଅପେକ୍ଷା ବୟାନବାଜିରୁ ଦୂରେଇ ପରଦା ପଛରେ ରହି କାମ କରିବାକୁ ପସନ୍ଦ କରନ୍ତି। ଦେଶରେ ସବୁଠୁ ଅଧିକ ବର୍ଷ ଧରି ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଅଛନ୍ତି।

୧୬ ଅକ୍ଟୋବର ୧୯୪୬ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ଦୀର୍ଘସ୍ଥାୟୀ ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି। ଓଡ଼ିଶା ବାହାରେ ଶିକ୍ଷାଗତ ଯୋଗ୍ଯତା ହାସଲ କରିଥିବା ନବୀନ ପଟ୍ଟନାୟକ ବହୁ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ରହିଥିଲେ ଏବଂ ରାଜନୀତିଠାରୁ ବହୁ ଦୂରରେ ଥିଲେ। ହେଲେ, ୧୯୯୭ ମସିହାରେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ସେ ଓଡ଼ିଶା ଆସିଲେ। ଏହା ପରେ ୫୦ ବର୍ଷ ବୟସରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା।

୧୯୯୭ ମସିହାରୁ ୨୦୦୦ ପର୍ଯ୍ୟନ୍ତ ଆସ୍କାରୁ ଲୋକସଭା ସାଂସଦ ରହିଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ରହିଥିଲେ। ଡିସେମ୍ବର ୧୯୯୭ରେ ନବୀନ ଜନତା ଦଳରୁ ଅଲଗା ହୋଇ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ। ୨୦୦୦ ମସିହା ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡି ବିଜେପି ସହ ମେଣ୍ଟ କରି ବହୁମତରେ ବିଜୟୀ ହୋଇଥିଲେ। ଏହା ପରେ ଶ୍ରୀ ପଟ୍ଟନାୟକ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନବୀନ ୫ ମାର୍ଚ୍ଚ ୨୦୦୦ରୁ ୧୨ ଜୁନ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ରହି କାର୍ଯ୍ୟ କରିଥିଲେ।

ରାଜନୀତିରେ ପାଦ ଦେବା ପରେ ନବୀନ ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ। ୧୯୯୯ ମହାବାତ୍ୟାରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହି ବିପର୍ଯ୍ୟୟ ଓଡ଼ିଶାକୁ ଦେବାଳିଆ ସ୍ଥିତିକୁ ଠେଲି ଦେଇଥିଲା। ଆର୍ଥିକ ବିପର୍ଯ୍ୟୟ ସହ ଚାରିଆଡ଼େ ହାହାକାର ଦେଖାଦେଇଥିଲା। ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶାର ପୁନରୁଦ୍ଧାର ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ନବୀନ। ଧୀରେ ଧୀରେ ଦେଶରେ ଓ ବିଶ୍ୱରେ ମଧ୍ୟ ଓଡ଼ିଶାର ପରିଚୟ ବଦଳିବାରେ ଲାଗିଲା।

ନବୀନ ପଟ୍ଟନାୟକ ଭାରତୀୟ ରାଜନୀତିର ଜଣେ ଶକ୍ତିଶାଳୀ ଚେହେରା ଏବଂ ଜଣେ ଅପ୍ରତିଦ୍ବନ୍ଦୀ ରାଜନେତା। ନବୀନ ଜଣେ ପ୍ରଖର ଜନନାୟକ। ଓଡ଼ିଶାର ଜନସାଧାରଣଙ୍କ ବିକାଶରେ ନବୀନଙ୍କ ଜୀବନ ଉତ୍ସର୍ଗୀକୃତ। ଓଡ଼ିଶାରେ ଯୁଗାନ୍ତକାରୀ ବିକାଶ ଆଣିବାରେ ନବୀନଙ୍କ ପ୍ରମୁଖ ଭୂମିକା ରହିଛି। ଭାରତରେ ଓଡ଼ିଶାକୁ ଏକ ଅଭାବୀ ରାଜ୍ୟଠାରୁ ପ୍ରଭାବୀ ରାଜ୍ୟରେ ପରିଣତ କରିଛନ୍ତି ନବୀନ। ତାଙ୍କ ନେତୃତ୍ୱ ଓଡ଼ିଶା ପାଇଁ ଏକ ପିଢ଼ିଗତ ପରିବର୍ତ୍ତନ ଆଣିଛି।

ନବୀନ ପଟ୍ଟନାୟକଙ୍କ ସରକାରରେ ପଛୁଆ ଓ ଋଣବୋଝଗ୍ରସ୍ତ ରାଜ୍ୟରୁ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟରେ ପରିଣତ ହୋଇଛି। ଦାରିଦ୍ର୍ୟ ଦୂରୀକରଣ ଏବଂ ମାନବ ବିକାଶ ସୂଚକାଙ୍କରେ ଉନ୍ନତି ଆଣିବା ଦିଗରେ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଓଡ଼ିଶା ଭାରତରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ଓ ଆଦର୍ଶ ଭାବେ ଉଭା ହୋଇଛି। ସ୍ଥାନୀୟ ସଂସ୍ଥା ଓ ସମବାୟ ସମିତିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଣୟନ କରି ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହା କରିଛି।

ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯିଏ କି କୃଷକଙ୍କ ଆୟ ଦ୍ୱିଗୁଣିତ କରିଛି। ବିଗତ ୨୪ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କ୍ରୀଡ଼ା, ଆୟ ଓ ମହିଳା ସଶକ୍ତୀକରଣ ଭଳି ବିଭିନ୍ନ କ୍ଷେତ୍ରରେ ସବୁଥିରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି।

ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇ ନବୀନ ପଟ୍ଟନାୟକ ବର୍ତ୍ତମାନ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ନିର୍ବାଚନରେ ପରାଜୟ ପରେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପି ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରିବେ ବୋଲି ନବୀନ କହିଛନ୍ତି।