ପାକିସ୍ତାନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

୯ ବର୍ଷ ମଧ୍ୟରେ ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ

ନୂଆଦିଲ୍ଲୀ, ୧୫/୧୦: ପାକିସ୍ତାନ ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଅନୁଷ୍ଠିତ ସାଂଘାଇ କୋପରେସନ ଅର୍ଗାନାଇଜେସନ(ଏସସିଓ) କାଉନସିଲ ଅଫ ଗଭର୍ଣ୍ଣମେଣ୍ଟର ୨୩ତମ ବୈଠକରେ ଯୋଗ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ପାକିସ୍ତାନ ଯାଇଛନ୍ତି। ଜୟଶଙ୍କରଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀମାନେ ନୁର ଖାନ ଏୟାରବେସରେ ସ୍ୱାଗତ କରିଥିଲେ। ପାକିସ୍ତାନ ଏସସିଓର ୨୩ତମ ବୈଠକ ଆୟୋଜିତ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମଙ୍ଗଳବାର ଇସଲାମାବାଦରେ ସାକ୍ଷାତ କରିଛନ୍ତି। ସରିଫଙ୍କ ଦ୍ୱାରା ଆୟୋଜିତ ଏକ ଅନୌପଚାରିକ ରାତ୍ରୀ ଭୋଜନରେ ଉଭୟ ହାତ ମିଳାଇ ଶୁଭେଚ୍ଛା ଆଦାନ ପ୍ରଦାନ କରିଥିବାର ଦେଖାଦେଇଛି।

ସୂଚନାଯୋଗ୍ୟ, ଭାରତ-ପାକ୍ ସମ୍ପର୍କରେ ତିକ୍ତତା ଲାଗି ରହିଥିବା ବେଳେ ପାଖାପାଖି ୯ ବର୍ଷ ମଧ୍ୟରେ କୌଣସି ଭାରତୀୟ ବରିଷ୍ଠ ନେତୃତ୍ୱଙ୍କ ଏହା ପ୍ରଥମ ପାକିସ୍ତାନ ଗସ୍ତ। ପାକିସ୍ତାନ ଗସ୍ତରେ ଯାଇଥିବା ଶେଷ ଭାରତୀୟ ବୈଦେଶିକ ମନ୍ତ୍ରୀ ଥିଲେ ସୁଷମା ସ୍ୱରାଜ। ୨୦୧୫ରେ ଶେଷ ଥର ପାଇଁ ସୁଷମା ସ୍ୱରାଜ ପାକିସ୍ତାନ ଯାଇଥିଲେ। ପାକିସ୍ତାନରୁ ସୀମା ପାର ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି।